ଭରତପୁର ଥାନା ଘଟଣା; ସ୍ପଟ୍‌ ଭିଜିଟ୍‌  କଲେ କମିଶନ

 ଭୁବନେଶ୍ୱର, ୧୯ା୧୧ : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଘଟଣାରେ  ମଙ୍ଗଳବାର ଦିନ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ତଦନ୍ତ କରିଛନ୍ତି । କମିଶନ ନିଜେ ସ୍ପଟ୍‌ ଭିଜିଟ୍‌ କରି ଭରତପୁର ଥାନା ଗସ୍ତ କରିଛନ୍ତି  । ଜଷ୍ଟିସ୍‌ ଶ୍ରୀ ଦାସ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି ।   ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ସୋମବାର ଦିନ ଉଭୟ ପକ୍ଷ ଓ ପ୍ରତିପକ୍ଷଙ୍କ ବୟାନ ନେଇଛନ୍ତି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଉପସ୍ଥିତିରେ ଉଭୟ ପକ୍ଷ ନିଜନିଜ ବୟାନ ରଖିଛନ୍ତି । ସେଦିନ ଯେଉଁ ଘଟଣା ଘଟିଥିଲା ଓ ଘଟଣା ନେଇ ଉଭୟ ପକ୍ଷ କମିଶନଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେ ସମ୍ପର୍କରେ ଉଭୟ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି କମିଶନ । ସେଦିନ ରାତି ଥାନା ଭିତରେ କେଉଁ ଜାଗାରେ କ’ଣ ଘଟିଥିଲା ସେନେଇ ଉଭୟ ପକ୍ଷ ସିନ୍‌ ରିକ୍ରିଏଟ କରି ଜଷ୍ଟିସ ଦାସଙ୍କୁ ଦେଖାଇବା ସହ ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ଭରତପୁର ଥାନା ମାମଲାରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍‌ଓପି  । ଏନେଇ ଆଡଭେକେଟ୍‌ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି । ଏହାର ଏକ କପି ହାଇକୋର୍ଟ ଓ ଆମିକସ୍‌ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।