ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ, ଦୁଇ ଗିରଫ


 ଭୁବନେଶ୍ୱର, ୨୩ା୪ : କ୍ରାଇମବ୍ରାଞ୍ଚର ଏସଟିଏଫକୁ ମିଳିଛି ପୁଣି ବଡ ସଫଳତା । ଧଳାଜହରର ଗନ୍ତାଘର କୁହାଯାଉଥିବା ବାଲେଶ୍ୱର ଜିଲ୍ଳା ଜଳେଶ୍ୱରରୁ କୋଟି କୋଟି ଟଙ୍କା ନିଶା ଦ୍ରବ୍ୟ ଭୁବନେଶ୍ୱର ସମେତ ବିଭିନ୍ନ ରାଜ୍ୟକୁ ସପ୍ଳାୟୀ ହେଉଛି  । ଏହି ନିଶା ବେପାରୀଙ୍କ ଉପରେ ଗତ କିଛି ଦିନ ହେବ କଡା ନଜର ରଖିଥିଲା ଏସଟିଏଫ୍‌ ଟିମ୍‌  । ସୋମବାର ପୂର୍ବାହ୍ନରେ ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ୱର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ବିପୁଳ ପରିମାଣର ଧଳାଜହର ଜବତ କରିଛି । ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ରକିବୁଲ ସେକ୍‌ (୪୩) ଓ ତାଳଚେରର ବିଜୟ ବୀରବର୍ମା (୨୬) । ବେଆଇନ୍‌ ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ଅଞ୍ଚଳର ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ ଜିଲ୍ଲା ଫରକ୍କା ଅର୍ଜୁନପୁର ଥାନା ଅଧୀନ ଖୋଡ଼ାବାନପୁର ସ୍ୱର୍ଗତଃ ମୁନ୍ତାଜା ଅଲିଙ୍କ ପୁଅ ରକିବୁଲ ଓ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଧୀନ ତ୍ରିନାଥ କଲୋନିର ସ୍ୱର୍ଗତ ବୁଲୁ ବୀରବ୍ରହ୍ମାଙ୍କ ପୁଅ ବିଜୟଙ୍କ ଠାରୁ ୧୧୨୦ ଗ୍ରାମ୍‌ ବ୍ରାଉନସୁଗାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା । ପୁଲିସ ବ୍ରାଉନସୁଗାର ଜବତ ସହ ଏକ ମାମଲା ରୁଜୁ ସହ ଘଟଣାର ଅଧିକ ତଦନ୍ତ କରୁଛି ।  ପୁଲିସ କହିଛି ଓଡ଼ିଶାକୁ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ , ନଦିଆ ଓ ବର୍ଦ୍ଧମାନ ଜିଲ୍ଲାରୁ ମେଦିନାପୁର-ଜଳେଶ୍ୱର ଦେଇ ବ୍ରାଉନସୁଗାର ଚାଲାଣ ହୋଇଥାଏ । ବିଶେଷ ଭାବେ ମୁର୍ସିଦାବାଦ୍‌ର ଲାଲଗୋଲା ହେଉଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ଏହି ଅଞ୍ଚଳରେ ଅଫିମ ଚାଷ ମଧ୍ୟ ହୋଇଥାଏ । ଫଳରେ ବ୍ରାଉନ୍‌ସୁଗାର ପ୍ରସ୍ତୁତି ହେବାର ସହଜ ହୋଇଥାଏ । ଗଞ୍ଜେଇ ତୁଳନାରେ ବ୍ରାଉନ୍‌ସୁଗାର ଚାଲାଣ କରିବା ସହଜ । କାରଣ ଏହା ବାହାରକୁ ବାସ୍ନା ହୋଇନଥାଏ । ସେହିଭଳି ଆକାର ଓ ଓଜନିଆ ମଧ୍ୟ ନୁହେଁ । ସୂଚନାଯୋଗ୍ୟ, ବେଆଇନ୍‌ ନିଶାଦ୍ରବ୍ୟ ମାମଲାରେ ଏସ୍‌ଟିଏଫ୍‌ ୨୦୨୦ରୁ ଚଢ଼ଉ ଜାରି ରଖିଛି । ଏସ୍‌ଟିଏଫ୍‌ ୭୬ କିଲୋ ବ୍ରାଉନ୍‌ସୁଗାର, ୨୦୨ ଗ୍ରାମ୍‌ କୋକିନ୍‌, ୧୨୪ କୁଇଣ୍ଟାଲ ଗଂଜେଇ ଓ ୧୪ କିଲୋ ଅଫିମ ଜବତ କରିସାରିଛି । ମୋଟ୍‌ ୧୯୭ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ।