ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି ଗଠିତ

 ନୀଳଗିରି : ନୀଳଗିରି ଉପଖଣ୍ଡ ସାନପାଟପୁର ନୋଡାଲ ହାଇସ୍କୁଲରେ ଦୀର୍ଘ ବର୍ଷ ବ୍ୟବଧାନ ପରେ ପୂର୍ବତନ ଛାତ୍ର ସଂସଦ ଆଲୁମିନି କମିଟି ଗଠନ କରାଯାଇଛି । କମିଟି ପ୍ରାରମ୍ଭରେ କମିଟି ଗଠନ ପାଇଁ ଆହ୍ୱାନ କରିଥିବା ପ୍ରଧାନ ଶିକ୍ଷକ କମିଟି ବୈଠକରେ ସଭାପତିତ୍ୱ କରିବା ପାଇଁ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବାରିକଙ୍କ ନାମ ପ୍ରସ୍ତାବ ରଖିବାରୁ ସର୍ବସମ୍ମତି ମତରେ ସରପଞ୍ଚ ସଭାପତିତ୍ୱ କରିଥିଲେ । ବୈଠକ ପ୍ରାରମ୍ଭରେ ପହେଲଗାମ୍ରେ ଆତଙ୍କୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ୨୭ ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ ୧ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ପରେ ସରପଞ୍ଚ ଅଭିଭାଷଣରେ ପ୍ରକାଶ କଲେ କି ଉକ୍ତ ବିଦ୍ୟାଳୟଟି ନିଜଗଡ଼ ପଞ୍ଚାୟତ ଅଧିନସ୍ଥ ଥିବାବେଳେ ୧୯୬୬ ମସିହାରେ ଦ୍ୱିତୀୟ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଭାବରେ ସ୍ଥାପନ ହୋଇଥିଲା । ପରେ ପରତାପଡା ଗ୍ରାମ ପଞ୍ଚାୟତରେ ଏକ ମାତ୍ର ବିଦ୍ୟାଳୟ ଭାବେ ୧୯୭୦ ମସିହାରେ ପ୍ରଥମ ବ୍ୟାଚର ପିଲାମାନେ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରେ ୫୫ଟି ବ୍ୟାଚ୍ ପରୀକ୍ଷା ଦେଇଥିବାବେଳେ ଏହା ବାଉଁଶ ବଣିଆ ଗ୍ରାମ ପଞ୍ଚାୟତର ୧ ମାତ୍ର ନୋଡାଲ ହାଇସ୍କୁଲ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ପ୍ରକାଶ କରିଥିଲେ । ଏହା ପରେ ଆଲୁମିନି କମିଟି ଗଠନ କରାଯାଇଥିଲା । ସମସ୍ତ ପଦବୀ ଗୁଡିକ ସର୍ବସମ୍ମତି ମତରେ ନାମ ଗୁଡିକ ଗୃହୀତ ହୋଇଥିବାବେଳେ ସଭାପତି ପାଦ ପାଇଁ ପ୍ରତିଯୋଗିତା ହୋଇଥିଲା ।  ଏହି ପ୍ରତିଯୋଗିତାରେ ସଭାପତି ପଦ ପାଇଁ ପୂର୍ବତନ ଛାତ୍ର ଶରତ ଚନ୍ଦ୍ର ମହାପାତ୍ର ୫୭ଟି ଭୋଟ ପାଇଥିବା ବେଳେ ଅନ୍ୟତମ ପ୍ରତିଯୋଗୀ ମନୋରଞ୍ଜନ ମହାନ୍ତି ମାତ୍ର ୧୧ ଗୋଟି ଭୋଟ ପାଇଥିଲେ । ଉପସଭାପତି ଭାବେ ଅନିରୁଦ୍ଧ ବେହେରା, ମହିଳା ପ୍ରତିନିଧି ଭାବେ କବିତା ନାୟକ ଓ କନଭେନର ଭାବେ ଜନ୍ମଜୟ ପଟ୍ଟନାୟକ  ନିର୍ବାଚିତ ହୋଇଥିଲେ । ସର୍ବଶେଷରେ ସମସ୍ତଙ୍କୁ କଣ୍ଠଶିଳ୍ପୀ ଅମୃତାଂଶୁ ପଟ୍ଟନାୟକ ଧନ୍ୟବାଦ ଜଣାଇବା ପରେ ଆଲୁମିନି ସଭାଟି ସମାପ୍ତ ହୋଇଥିଲା ।