ଦାନଗଦୀରେ ୨୫ ଆଶ୍ରୟସ୍ଥଳ ପ୍ରସ୍ତୁତ
ଯଖପୁରା : ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଦାନଗଦୀ ବିଡିଓ ସାରଦା ପ୍ରସନ୍ନ ପଣ୍ଡା କହିଛନ୍ତି । ବାତ୍ୟାରେ ସାଧାରଣ ଲୋକ ଯେମିତି ହଇରାଣ ହରକତ ନହେବେ ସେଥିପ୍ରତି ଦାନଗଦୀ ବିଡିଓ ସଜାଗ ରହିଛନ୍ତି । ବ୍ଲକ୍ ତରଫରୁ ପ୍ରଭାବିତ ହେବାକୁ ଥିବା କଚା ଘର ସହିତ ଅସୁରକ୍ଷିତ ଭାବରେ ରହିଥିବା ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ଭାବରେ ସ୍କୁଲ ଘରକୁ ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯାଇଛି । ଦାନଗଦୀ ବ୍ଲକ୍ରେ ମୋଟ ୨୫ଟି ବାତ୍ୟା ଆଶ୍ରୟସ୍ଥଳିରେ ଲୋକମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରାୟ ଦୁଇ ହଜାରରୁ ତିନି ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଆଜି ସକାଳୁ ପ୍ରଶାସନ ଲୋକଙ୍କୁ ଆଣି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳିରେ ରଖିଛନ୍ତି । ବ୍ଲକ୍ର ମାଣତୀରା ପଞ୍ଚାୟତରେ ମାଣତୀରା, ପୁରୁଣା ମାଣତୀରା, ରାବଣା, ଦଶମାଣିଆ ଠାରେ ସ୍କୁଲ ମାନଙ୍କରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳି ଭାବେ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରନ୍ଧାଖାଦ୍ୟ ଠାରୁ ଆରମ୍ଭ ଜଳଖିଆ, ଲାଇଟ୍ ର ବ୍ୟବସ୍ଥା କରାଯାଇଛି । ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଭାବିତ ଅଞ୍ଚଳ ଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଦେ୍ର୍ଦଶ ରହିଛି । ସେମାନଙ୍କର ଯେମିତି କୌଣସି ଅସୁବିଧା ନହୁଏ ସେଥି ପ୍ରତି ଦୃଷ୍ଟି ରଖାଯାଇଛି । ୨୪ ଓ ୨୫ ତାରିଖ ଏହି ଦୁଇ ଦିନ ପାଇଁ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି ।