ଅର୍ଥାଭାବରୁ ମୋଟର ବାଇକରେ ପ୍ରଚାର କରୁଛନ୍ତି ସୁକିନ୍ଦା କଂଗ୍ରେସ ପ୍ରାଥୀ
ଯାଜପୁର, : ବ୍ୟୟ ବହୁଳ ନିର୍ବାଚନ । ନିର୍ବାଚନରେ ଜଣିଏ ଜଣିଏ ପ୍ରାର୍ଥୀ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଗୋଚର ହେଉଥିଲେ ହେଁ ହିସାବ ରେକର୍ଡ଼ଭୃକ୍ତ ହୁଏନି । ପ୍ରାର୍ଥି ହିସାବରେ ଅଧକୋଟି, ବେ-ହିସାବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସୁକିନ୍ଦା ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ବିଭୁଭୂଷଣ ରାଉତ୍ କିନ୍ତୁ ଅର୍ଥାଭାବରୁ ବାଇକରେ ପ୍ରଚାର କରୁଛନ୍ତି । ଯେତେ ବେଳେକି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ ଗଣ୍ଡାଗଣ୍ଡା ଗାଡ଼ି ମୋଟର ବୁଲୁଛି, ହଜାର ହଜାର ସଂଖ୍ୟାରେ ଶୋଭାଯାତ୍ରାରେ ଗାଡ଼ି ମୋଟର ସାମିଲ ହେଉଛି । ଆଉ ହଜାର ହଜାର ସଂଖ୍ୟା କର୍ମୀ ଏବଂ ସମର୍ଥକ ରୋଡ଼ ଶୋ କରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । କିନ୍ତୁ ଅର୍ଥାଭାବରୁ ବିଭୁ ବାଇକଟିଏ ଧରି ଏ ପଞ୍ଚାୟରୁ ସେ ପଞ୍ଚାୟତକୁ ଯାଇ ଭୋଟରଙ୍କୁ ଭେଟି ହାତ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନକରିବା ସହ ସେ ବିଜୟୀ ହେଲେ ପ୍ରତି ପରିବାରରୁ ଖଣି ଓ ଶିଳ୍ପାଞ୍ଚଳରେ ଜଣକୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଉଛନ୍ତି । ଗୋଟେ ପଟେ ଅର୍ଥାଭାବରୁ ବିଭୁ ୪ଚକିଆ ଗାଡ଼ିରେ ଚଢିପାରୁନଥିବା ବେଳେ ପ୍ରଚାର ଗାଡ଼ି ମଧ୍ୟ ବୁଲାଇ ପାରୁ ନାହାନ୍ତି । ଅନ୍ୟପଟେ ନିର୍ବାଚନକୁ ହାତରେ ଆଉ ମାତ୍ର ୩ଟା ଦିନ ବାକି ରହିଥିବା ବେଳେ ବିଭୁଙ୍କ ପାଇଁ ଦଳରୁ କେହି ପ୍ରଚାର କରିବାକୁ ମଧ୍ୟ ଆସୁ ନାହାନ୍ତି । ଏପରିକି ସୁକିନ୍ଦାର ପୂର୍ବତନ ବିଧାୟକ ଶରତ ରାଉତ୍ଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର କରିବାର ଦେଖିବାକୁ ମିଳୁନି । ନିର୍ବାଚନ ବହୁ ପୂର୍ବରୁ ଶରତ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବୈଠକ ମାନ କରିବା ସହ ବିଭୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟ ଏବଂ କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ସୁକିନ୍ଦାରେ କୋଟିପତି-ଗରିବ ମଧ୍ୟରେ ଲଢେଇ ହେଉଛି ବୋଲି କହି ବିଜେଡ଼ି-ବିଜେପି ଆଡ଼କୁ ଇଙ୍ଗିତ କରିଥିଲେ । ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସମସ୍ତ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଦଳର ଶୀର୍ଷସ୍ତରୀୟ ନେତା ଘନଘନ ଓଡ଼ିଶା ଗସ୍ତକରୁଛନ୍ତି । ଶାସକ ଦଳ ବିଜେଡିର ଷ୍ଟାର୍ ପ୍ରଚାରକ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରଚାର କରୁଛନ୍ତି । ବିଜେଡିର ଶକ୍ତିକେନ୍ଦ୍ର ଭି.କେ ପାଣ୍ଡିଆନ ମାରାଥନ ପ୍ରଚାର କରୁଥିବା ବେଳେ ସୁକିନ୍ଦାରେ କଂଗ୍ରେସ ପ୍ରଚାର ଦେଖିବାକୁ ମିଳୁନାହିଁ । ଏଣୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢେଇ ଦେଖିବାକୁ ମିଳୁଛି । ବିଜେଡି-ବିଜେପି ବିଧାୟକ ପ୍ରାର୍ଥୀ ପଞ୍ଚାୟତ ପଞ୍ଚାୟତ ବୁଲି ଶୋଭାଯାତ୍ରା କରି ଭୋଟ ଭିକ୍ଷା କରୁଥିବା ବେଳେ ଶୋଭାଯାତ୍ରା କରି ଭୋଟର୍ଙ୍କୁ ଆକୃଷ୍ଟ କରୁଛନ୍ତି । ଶୋଭାଯାତ୍ରାରେ ହଜାର ହଜାର ଗାଡ଼ି ଦେଖିବାକୁ ମିଳୁଛି । ଉଭୟ ବିଜେଡି ଓ ବିଜେପି ନାମୀ ଦାମୀ ଗାଡ଼ିରେ ପ୍ରଚାର କରୁଥିବା ବେଳେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିଭୁ ଭୂଷଣ ମୋଟର ସାଇକେଲରେ ପ୍ରଚାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସୁକିନ୍ଦା ପରି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଅବସ୍ଥା ଜଟିଳ ଅବସ୍ଥାରେ ଅଛି ବୋଲି କୁହାଯାଇପାରେ । ଯେତେବେଳେ ବିଜେଡି ଓ ବିଜେପି ନିଜର ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କୁ ମୋଟର ସାଇକେଲ ହିଁ ଭରସା ହୋଇଛି । ବିଭୁଙ୍କ କହିବା କଥା ହେଲା ବିରାଟ ଶୋଭାଯାତ୍ରାରେ ପ୍ରଚାର କରିବା ପାଇଁ ମୋ ପାଖରେ ଅର୍ଥ ବଳ ନାହିଁ । ଯେଉଁଠି ସୁକିନ୍ଦାରେ ବିଜେଡି ଓ ବିଜେପି ପଇସାର ପାହାଡ଼ରେ ଛିଡା ହୋଇଛନ୍ତି ସେଠି ମୋ ପାଖରେ ଅର୍ଥ ନାହିଁ । କିନ୍ତୁ ଲୋକଙ୍କ ଭଲ ପାଇବା ଆଶୀର୍ବାଦ ଅଛି । ସୁକିନ୍ଦାବାସୀ ମୋତେ ନିଶ୍ଚିନ୍ତ ଆଶୀର୍ବାଦ କରିବେ । ଲୋକଙ୍କ ଆଶୀର୍ବାଦ ପାଖରେ ଅର୍ଥ ବଳ କିଛି କାମ ଦେବନାହିଁ । ଏମିତିକି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଇନ୍ଦିରା ଗାନ୍ଧିଙ୍କ ଉଦାହରଣ ଦେଇ ତାଙ୍କର ପଇସା ବ୍ୟକ୍ତିତ୍ୱ ନେତୃତ୍ୱ ଥାଇ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଥିବାର ଉଦାହରଣ ଅଛି । ତାଙ୍କ ଆଗରେ ମୁଁ କିଛି ନୁହେଁ କହି ନିଜ ମନକୁ ସ୍ୱାନ୍ତନା ଦେଉଛନ୍ତି । ସାଧାରଣ ଲୋକଙ୍କ ଭଲପାଇବା, ଆଶୀର୍ବାଦ ପାଖରେ ଅର୍ଥ ବଳର କିଛି ମାନେନାହିଁ । ଯଦି ମୁଁ ସୁକିନ୍ଦାରେ ବିଜୟ ଲାଭ କରେ ତେବେ ଲୋକଙ୍କ ସୁଖ ଦୁଃଖର ରହିବି । ଘରେ ଘରେ ନିଯୁକ୍ତି ଗ୍ୟାରେଣ୍ଟି ଦେଉଛି । ସୁକିନ୍ଦାରେ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବେକାର ସମସ୍ୟାରେ ସୁଧାର ଆଣିବି । ସୁକିନ୍ଦାରେ ଅନେକ ଖଣି କାରଖାନା ଥିବା ସତ୍ୱେ ଲୋକଙ୍କୁ ନିଯୁକ୍ତି ନାହିଁ । ଯଦି ନିଯୁକ୍ତି ଅଛି ତାହା ପଖାଳ ଖିଆ ଆଉ ଝୁଡ଼ି ମୁଣ୍ଡା ନିଯୁକ୍ତି ଅଛି । ଯାହା ଆଜି ପର୍ଯ୍ୟନ୍ତ ପ୍ରଫୁଲ୍ଲ ଘଡାଇ ଓ ଡ୍ୟାନୀ ଘଡ଼ାଇ କରିପାରି ନାହାନ୍ତି ତାହା ମୁଁ କରି ଦେଖାଇବି । ମତେ ଯଦି ଲୋକେ ଆଶୀର୍ବାଦ କରିବେ ତେବେ ଯୋଗ୍ୟତା ଭିତିରେ ପ୍ରତ୍ୟେକ ପରିବାରରେ ନିଯୁକ୍ତି ଦେବି । ସୁକିନ୍ଦା କଂଗ୍ରେସ ପ୍ରାର୍ଥୀଙ୍କ କଥା ଶୁଣି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।