ସନ୍ଧ୍ୟାରାଣୀଙ୍କ ପାଇଁ ୧୪ରେ ସମାବେଶ
ରସୁଲପୁର : କୋରେଇ ବିଧାନସଭା ବିଜେଡ଼ି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ବିଜୟଟିକା ପିନ୍ଧାଇବାକୁ ଦଳ ଲାଗିପଡ଼ିଛି । ସନ୍ଧ୍ୟାରାଣୀଙ୍କ ପୁତୁରା ଭବପ୍ରସାଦ ଦାସ ବ୍ୟାସନଗରରୁ ଆରମ୍ଭ କରି କୋରେଇ ଏବଂ ରସୁଲପୁର ବ୍ଲକ ଅଞ୍ଚଳକୁ ତୋଫାନି ଗସ୍ତ କରି ବିଜେଡ଼ି ନେତୃତ୍ୱ ଏବଂ ଭୋଟରଙ୍କୁ ଭେଟୁଛନ୍ତି । ଶନିବାର ରସୁଲପୁର ବ୍ଲକ ଅନ୍ତର୍ଗତ ୯ଗୋଟି ପଞ୍ଚାୟତ କାର୍ଯ୍ୟକର୍ତାଙ୍କୁ ଭେଟିଥିବା ବେଳେ ଆୟୋଜିତ ଏକ ବୈଠକରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହି ସନ୍ଧ୍ୟାରାଣୀଙ୍କ ପାଇଁ ଅଧିକରୁ ଅଧିକ ଭୋଟ ଯୋଗାଡ଼ କରିବା ଉପରେ ଯୋର ଦେଇଥିଲେ । ସନ୍ଧ୍ୟାରାଣୀ ଦାସ ଆମ୍ଭମାନଙ୍କର ମାତୃତୁଲ୍ୟ । ମା ପାଇଁ ମହିଳା, ଯୁବ, ଛାତ୍ର ଏକଜୁଟ ହୋଇ କାମ କରିବାକୁ ସମସ୍ତେ ମିଳିମିଶି ୧୫ ଦିନ କଠିନ ପରିଶ୍ରମ କରିବା, ରସୁଲପୁର ବ୍ଲକରୁ କୋରେଇ ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ୯ଗୋଟି ପଞ୍ଚାୟତରେ ବିଜେଡି ଭୋଟ ହାରକୁ ବୃଦ୍ଧି ଘଟାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ମାସ ୧୪ ତାରିଖରେ କୁଆଖିଆ ଠାରେ ଏକ ବିଶାଳ ସମାବେଶ ଆୟୋଜନ କରାଯିବା ଉପରେ ଆଲୋଚନା ହୋଇଥିଲା । ସମାବେଶରେ ଭୋଟକା, ବାହାଦଲାପୁର, ମୁଗୁପାଳ, ନରସିଂହପରୁ, ଗନ୍ଧଣ, ଟିକରପଡା, ପହଁଗା, ଲକ୍ଷ୍ମୀନଗର, ବଡକଇଁଚି ଆଦି ପଞ୍ଚାୟତରୁ ଅଧିକରୁ ଅଧିକ ଜନତାଙ୍କୁ ସମବେତ କରିବାକୁ ପ୍ରଣବ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ଉପରେ ଦାୟିତ୍ୱ ଛାଡ଼ିଥିଲେ । ବୈଠକରେ ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଜିଲାପରିଷଦ ସଦସ୍ୟ ଶିଶିର କୁମାର ମହାନ୍ତି, ସମିତି ସଭ୍ୟ ନରୋତ୍ତମ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଯତିନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ଦେଓ, ଅଲେଖ ସ୍ୱାଇଁ ପ୍ରମୁଖ ଯୋଗଦେଇ ସମାବେଶର ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସମାବେଶରେ ବିଧାୟକ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଯୋଗଦେବା ସହ କୋରେଇର ବିକାଶ ଓ ସ୍ୱାଭିମାନୀ ନିର୍ବାଚନମଣ୍ଡଳି ଭାବରେ ଗଢି ତୋଳିବା ପାଇଁ ତାଙ୍କର ରହିଥିବା ଲକ୍ଷ୍ୟ ସଂପର୍କରେ ସୂଚନା ପ୍ରଦାନ କରିବେ । ସମାବେଶରେ ରାଜ୍ୟ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସଂସଦୀୟ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାଏ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାଛଡା ୯ଗୋଟି ପଞ୍ଚାୟତର ଜନପ୍ରତିନିଧି, ଛାମୁଆଁ ସଂଗଠକ, କର୍ମୀ, କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ । ଆୟୋଜିତ ବୈଠକରେ ପୂର୍ବତନ ସରପଞ୍ଚ ଅଶ୍ୱିନୀ କୁମାର ଦାସ, ଅତୁଲ୍ୟ ପ୍ରଧାନ, ଶିକ୍ଷାବିତ୍ ବିନୋଦ ବିହାରୀ ବେହେରା, ଯୁବନେତା ଦୁଷ୍ମନ୍ତ କୁମାର ମଲିକଙ୍କ ସମେତ ବ୍ଲକ ଅଧିନସ୍ଥ ୯ଗୋଟି ପଞ୍ଚାୟତର ଛାମୁଆଁ କର୍ମୀମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପଞ୍ଚାୟତରେ ରହିଥିବା ନାନା ସମସ୍ୟା ସଂପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯିବା ସହ ଭୋଟରମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦାନ କରିବାକୁ ଲୋକମାନଙ୍କୁ ବୁଝାଇବା ପାଇଁ ପରାମର୍ଶ ଦିଆଯାଇଥିଲା ।