ପୁଣି କଂଗ୍ରେସ ନିରାଶ

ଭୁବନେଶ୍ୱର: ଆଜି ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକରେ ଗୃହରେ ଶୋକାଞ୍ଜଳୀ ଦିଆଗଲା  । ଶୋକାଞ୍ଜଳୀ ପାଇଁ ସ୍ୱାଭାବିକ ଭାବେ ଗୃହ ଶାନ୍ତ ଥିଲା  । ହେଲେ ନୀରବ ପ୍ରାର୍ଥନା ପରେ ଗୃହ ଅଶାନ୍ତ ହୋଇଯାଇଥିଲା  । ଗତକାଲି ଭଳି ଆଜି ମଧ୍ୟ ସାର ପ୍ରସଙ୍ଗରେ ବିଜେଡ଼ି ହଙ୍ଗାମା କରିଥିଲା  । ଗୃହ ମଧ୍ୟଭାଗରେ ବିଜେଡ଼ି ବିଧାୟକଙ୍କ ତୁମୁଳ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରିଲା ନାହିଁ  । ସେପଟେ କଂଗ୍ରେସ ବିଧାୟକମାନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଲା  । ପ୍ରଶ୍ନକାଳ ଚାଲିବାର ମାତ୍ର ମିନିଟ୍କ ପରେ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ରହିଥିଲା  । ଅପରାହ୍ନରେ ବି ଅନୁରୂପ ସ୍ଥିତି ସୃଷ୍ଟିହେବାରୁ ଗୃହକୁ ସୋମବାର ଯାଏଁ ମୁଲତବୀ କରି ଦିଆଯାଇଛି  । ଫଳରେ ଗତକାଲି ଭଳି କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡ଼ିଛି  । ହଟ୍ଟଗୋଳ ଯୋଗୁଁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିନାହିଁ  ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ  । ଏହାପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ବ୍ୟକ୍ତ କରିବା ପରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରକାଶ କରିଥିଲେ  । ଏହାପରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା  । ନୀରବ ପ୍ରାର୍ଥନା ସରୁ ସରୁ ବିଜେଡ଼ି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ  । ଚାଷୀ ଓ ସାର ପ୍ରସଙ୍ଗରେ ସେମାନେ ନାରାବାଜି କରି ଗୃହକୁ କମ୍ପାଇ ଦେଇଥିଲେ  । ସେମାନଙ୍କ ହଟ୍ଟଗୋଳ ଭିତରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କିଛି କହିବାକୁ ଚାହୁଁଥିଲେବି ସୁଯୋଗ ମିଳିନଥିଲା  । ବାଚସ୍ପତି ସୁରମା ପାଢ଼ୀଙ୍କ ବାରମ୍ବାର ନିବେଦନ ପରେ ବି ସେମାନେ କର୍ଣ୍ଣପାତ କରିନଥିଲେ  । ଫଳରେ ପ୍ରଶ୍ନକାଳ ମାତ୍ର ୧ ମିନିଟ୍ ଚାଲିବା ପରେ ଗୃହକାର୍ଯ୍ୟକୁ ୧୦ଟା ୪୩ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା  ।
ଅପରାହ୍ନ ୪ଟାରେ ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପ୍ଳାକାର୍ଡ଼ ଧରି ନାରାବାଜି କରି ବିଜେଡ଼ି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ  । ଗୃହ ମଧ୍ୟଭାଗରେ ସେମାନେ ତୁମୁଳ ହଟ୍ଟଗୋଳ କରିଥିଲେ  । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତିଙ୍କ ବାରବାର ନିବେଦନ ସତ୍ତ୍ୱେ ସେମାନେ ଶୁଣିନଥିଲେ  । ହଟ୍ଟଗୋଳ ଭିତରେ ଗୃହ ମାତ୍ର ୩ ମିନିଟ୍ ଚାଲିବା ପରେ ବାଚସ୍ପତି ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ  ।
ଗତକାଲି ଭଳି ଆଜି ବି ଗୃହ ମୁଲତବୀ ହୋଇଯିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଗତ ପ୍ରସଙ୍ଗ ଉଭେଇଯାଇଛି  । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ, ଗୃହ ସ୍ୱାଭାବିକ ନଥିଲେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ ନାହିଁ  ।