ବଡ଼ଠାକୁର ପଡ଼ିବା ଘଟଣା ପାଇଁ ତଦନ୍ତ କମିଶନ ବସାଅ:କଂଗ୍ରେସ
ଭୁବନେଶ୍ବର: ପହଣ୍ଡି ବେଳେ ବଡ଼ଠାକୁର ଚାରମାଳ ଉପରେ ହାମୁଡ଼େଇ ପଡ଼ିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମାନସିକ ଆଘାତ ଦେଇଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି କଂଗ୍ରେସ। ଏହାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଏକ ସାମାନ୍ୟ ଘଟଣା କହିବା ଦୁର୍ଭାଗ୍ୟଜନକ ବୋଲି ଉଭୟ ଦଳ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ କହିଲେ, ରଥଯାତ୍ରାରେ ଏଭଳି ଅଘଟଣ କାହିଁକି ହେଲା, ଏଥିପାଇଁ କିଏ ଦାୟୀ ଏସବୁର ତଦନ୍ତ ହେବା ଆବଶ୍ୟକ। ତଦନ୍ତ କମିସନ ବସାଇ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣିବା ଦରକାର। ବରିଷ୍ଠ ମୁଖପାତ୍ର ମନୋରଂଜନ ଦାସ କହିଥିଲେ, ପହଣ୍ଡି ସମୟରେ ବଡ଼ଠାକୁର ହାମୁଡ଼େଇ ପଡ଼ିବା ଏକ ବିରଳ ଘଟଣା। ଅତୀତରେ ଏହା କେବେ ଦେଖିବାକୁ ମିଳି ନ ଥିଲା। ଏଥିପାଇଁ ରାଜ୍ୟ ସରକାର ଦୁଃଖ ପ୍ରକାଶ କରିବା ବଦଳରେ ଏହାକୁ ସାମାନ୍ୟ ଘଟଣା, ଏହା ମହାପ୍ରଭୁଙ୍କ ଏକ ଲୀଳା ବୋଲି କହିବା ଦ୍ବାରା ନିଜ ଭିତରେ ଥିବା ଅହଙ୍କାରକୁ ପ୍ରକାଶ କରିଛନ୍ତି। ଏହାକୁ ଜଗନ୍ନାଥପ୍ରେମୀ କଦାପି ବରଦାସ୍ତ କରିବେ ନାହିଁ। କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ଦାସ ଓ ଜୟୀନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ।