ବିଜେପି ଓ କଂଗ୍ରେସ ଯୋଦ୍ଧା ତୟାର

ବିଜେପି ଓ କଂଗ୍ରେସ ଯୋଦ୍ଧା ତୟାର

ଭୁବନେଶ୍ୱର :ବିଜେଡ଼ି ଓ ବିଜେପି ପରେ ଚବିଶ ମଇଦାନ ପାଇଁ ଯୋଦ୍ଧା ରେଡ୍ଡୀ କରିଛି କଂଗ୍ରେସ  । ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି  । ସେହିପରି ମେଂଟ ପାଇଁ କଂଗ୍ରେସ ବୀରମିତ୍ରପୁର ଆସନଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବଣାଇ ଆସନଟି ସିପିଆଇଏମକୁ ଛାଡ଼ି ଦେଇଛି  । ଏଥର କଂଗ୍ରେସ ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛି  । ପୁରୁଣା ନେତାଙ୍କ ବଦଳରେ ନୂଆ ନେତାଙ୍କୁ ଟିକେଟ ଦେଇ ଦଳ ରାଜନୀତିକ ଭବିଷ୍ୟତ ଗଢ଼ିବାକୁ ଯୋଜନା କରିଛି  ।
ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତି ଆଧାରରେ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି  । ଆଜି ଓଡ଼ିଶାର ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି  । ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚାନ୍ଦ ନାୟକ, ବ୍ରହ୍ମପୁରରୁ ରଶ୍ମୀରଞ୍ଜନ ପଟ୍ଟନାୟକ, କୋରାପୁଟରୁ ସପ୍ତଗିରି ଶଙ୍କର ଉଲାକାଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଛି  । ୨୦୧୯ରେ ସପ୍ତଗିରି କୋରାପୁଟରୁ ବାଜିମାତ କରି ସାଂସଦ ହୋଇଥିଲେ  । ତାଙ୍କୁ ଛାଡ଼ିଦେଲେ ବାକି ସମସ୍ତ ପ୍ରାର୍ଥୀ ନୂଆ  ।
ସେହିପରି ୪୭ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୩ ଜଣଙ୍କୁ ଦଳ ରିପିଟ୍ କରିଛି  । ବରଗଡ଼ରୁ ନିପନ ଦାସ, ବ୍ରଜରାଜନଗରରୁ କିଶୋର ଚନ୍ଦ୍ର ପଟେଲ, ରାଜଗାଙ୍ଗପୁରରେ ସିଏସ ରାଜେନ ଏକ୍କା, କଂଟାବାଞ୍ଝିରେ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ ମିଳିଛି  । ଭକ୍ତଙ୍କ ପୁଅ ସାଗର ଚରଣ ଦାସଙ୍କୁ ପୁଣିଥରେ ଭବାନୀପାଟଣାରୁ ଟିକେଟ ମିଳିଥିବାବେଳେ ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ମୋହନାରୁ ଦାଶରଥି ଗମାଙ୍ଗୋ, ବିଷମକଟକରୁ ନୀଳମାଧବ ହିକକା, ରାୟଗଡ଼ାରୁ କାଡ୍ରକା ଆଳପାସ୍ୱାମୀ, ଜୟପୁରରୁ ତାରା ପ୍ରସାଦ ବାହିନୀପତି, କୋରାପୁଟରୁ କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ ଓ ମାଲକାନାଗିରିରୁ ପୁଣିଥରେ ମାଲା ମାଢ଼ୀ ପ୍ରାର୍ଥୀ ହୋଇଛନ୍ତି  ।