ଅନ୍ଧବିଶ୍ୱାସୀ କ୍ରିକେଟ ପ୍ରେମୀ ସଙ୍କଟ ଆଣିବ କି ରବିବାର
ନୂଆଦିଲ୍ଲୀ : ଦିନିକିଆ, ଟେଷ୍ଟ, ଟ୍ୱେଣ୍ଟି-ଟ୍ୱେଣ୍ଟି କିମ୍ବା ୱାର୍ଲ୍ଡ କପ୍; ଯେକୌଣସି ମ୍ୟାଚ୍ ହେଉ ଖେଳ ଆରମ୍ଭ ହେଲେ ବେଶୀ ଉତ୍ସାହିତ ହୋଇଥା’ନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । ସେଇଥିପାଇଁ ତ ସମଗ୍ର ବିଶ୍ୱରେ ସର୍ବାଧିକ କି୍ରକେଟ୍ପ୍ରେମୀ ଦେଶ ଭାବେ ଭାରତକୁ ସର୍ବାଗ୍ରେ ରଖାଯାଇଛି । ଏହାରି ମଧ୍ୟରେ କେତେକ କୌତୁହଳ ପୂର୍ଣ୍ଣ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । କିଏ ସ୍ଥାନର ଭାଗ୍ୟକୁ ନେଇ ଅଙ୍କ କଷିଥାଏ ତ ଆଉ କିଏ ସମୟ ଗଣନାକୁ ନେଇ ଦଳର ଭାଗ୍ୟ ମାପିଥାଏ । ପରିଶେଷରେ ଏହିସବୁ ଅନ୍ଧବିଶ୍ୱାସୀ ତଥା ତର୍କବିହୀନ ପ୍ରସଙ୍ଗ ସବୁବେଳେ କ୍ରିକେଟ୍ ପ୍ରେମୀଙ୍କ ସାମ୍ନାରେ ପ୍ରତିବନ୍ଧକ ସାଜିଥାଏ । ତା’ରି ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହେଉଛି ରବିବାର ।
ଭାରତ ପାଇଁ ବର୍ଷବର୍ଷ ଧରି କାଳ ସାଜିଥିବା ରବିବାରର ପୁନରାବୃତ୍ତି ଆସନ୍ତାକାଲି ଯେମିତି ନ ହେବ, ସେ ଆଶା ଏବେ ସମସ୍ତ ଅନ୍ଧବିଶ୍ୱାସୀ କି୍ରକେଟ୍ ପ୍ରେମୀଙ୍କ ପାଇଁ ଆଉ ଏକ ନୂଆ ସଙ୍କଟ ଆଣିଛି । କାରଣ ଭାରତ ରବିବାର ଖେଳୁଥିବା ପ୍ରାୟ ସବୁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ହାରିଛି । ବେଶ କିଛି ଦଶନ୍ଧି ଧରି ଏହି ପରମ୍ପରା ଲାଗି ରହିଛି । ସାମ୍ନାରେ ନୁ୍ୟଜିଲ୍ୟାଣ୍ଡ ଓ ଅନ୍ଧବିଶ୍ୱାସ ଅନୁଯାୟୀ ରବିବାର । ତେଣୁ କାଲି ଭାରତର ଭାଗ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଠାରୁ ଆରମ୍ଭ କରି ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ରବିବାର ଖେଳା ଯାଇଥିଲା । ଏହି ଫାଇନାଲରେ ଭାରତ ନଜର ଆସିଥିଲେ ମଧ୍ୟ ଦଳକୁ ହାରିବାକୁ ପଡ଼ିଥିଲା । ୨୦୦୦ ମସିହାରେ ଚାମ୍ପିୟନ୍ସ ଟ୍ରଫିର ନାଁ ଆଇସିସି ନକଆଉଟ ରହିଥିଲା । ଏହାର ଫାଇନାଲ ରବିବାର ଖେଳା ଯାଇଥିବା ବେଳେ ଭାରତ ୪ ୱିକେଟରେ ନୁ୍ୟଜିଲ୍ୟାଣ୍ଡ ଠାରୁ ହାରିଥିଲା । ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ କ୍ରମାଗତ ୧୧ଟି ମ୍ୟାଚ୍ ଜିତିଥିଲା । କିନ୍ତୁ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା । ସେଦିନ ବି ରବିବାର ଥିଲା । ଏମିତି ଅନେକ ରବିବାର ରହିଛି, ଯେଉଁଠି ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିଛି । ଏହାବାଦ ଭାରତ ୨୦୧୩ରେ ଏକମାତ୍ର ଆଇସିସି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ବିପକ୍ଷରେ ଫାଇନାଲ ରବିବାର ଆଶ୍ଚର୍ଯ୍ୟଜନକ ଭାବେ ଜିତିଥିଲା । କାରଣ ବର୍ଷା ଯୋଗୁ ମ୍ୟାଚ୍କୁ ୨୦ଓଭର୍ ବିଶିଷ୍ଟ କରାଯାଇଥିବା ବେଳେ ରାତି୧୨ଟା ଅତିକ୍ରମ ହୋଇ ସାରିଥିବାରୁ ଅର୍ଥାତ୍ ସୋମବାର ହୋଇଥିବାରୁ ଭାରତ ଏଥିରେ ବାଜିମାତ କରିଥିଲା ବୋଲି କିଛି କ୍ରିକେଟପ୍ରେମୀଙ୍କ ମତ ।
ରବିବାରକୁ ବାଦ ଦେଇ ଅନ୍ୟ ବାରମାନଙ୍କରେ ଭାରତ ଜିତିଥିବା ଆଇସିସି ଟ୍ରଫି ଗୁଡ଼ିକ ହେଉଛି ୧୯୮୩ ଦିନିକିଆ ବିଶ୍ୱକପ ଫାଇନାଲ ଶନିବାର, ୨୦୦୨ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ସୋମବାର, ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ସୋମବାର, ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ଶନିବାର, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ରବିବାର/ସୋମବାର ଏବଂ ୨୦୨୪ ଟି-୨୦ ବିଶ୍ୱକପ ଫାଇନାଲ ଶନିବାର । ଏଣୁ ଅନ୍ଧବିଶ୍ୱାସୀ କ୍ରିକେଟ୍ ପ୍ରେମୀଙ୍କ ମତରେ ଦଳର ଭାଗ୍ୟ କାଲି କ’ଣ ହେବ ତାହାକୁ ନେଇ ସବୁଠି ଚର୍ଚ୍ଚା ।