ବେଆଇନ ବନ୍ଧୁକ କାରଖାନା ଠାବ ୨୨ ବନ୍ଧୁକ, ୩୦ ଅଫୁଟା ଗୁଳି ସହ ସାମଗ୍ରୀ ଜବତ
ସମ୍ବଲପୁର : ସମ୍ବଲପୁର ଜିଲ୍ଳା ପୁଲିସ୍ ପକ୍ଷରୁ ମଙ୍ଗଳବାର ଜମନକିରା ଓ ଯୁଯୋମୁରା ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୨୨ଟି ବେଆଇନ ବନ୍ଧୁକ ଜବତ କରାଯାଇଛି । ଏଥିରୁ ଗୋଟିଏ ଡବଲ୍ ବ୍ୟାରେଲ୍ ହୋଇଥିବା ବେଳେ ଅନ୍ୟ ୨୧ଟି ସିଙ୍ଗିଲ୍ ବ୍ୟାରେଲ୍ ରାଇଫ୍ଲ ରହିଛି । ଏହି ମାମଲାରେ ଜମନକିରା ଥାନା ଚିରଗୁଣିଖୋଲର ପଲସୁ ସିଂ (୩୯) ଏବଂ ଅରୁଣ ଭୋଇ (୨୨), ଯୁଯୋମୁରା ଥାନା ବାସୁପାଲିର ବିଦ୍ୟା ପ୍ରଧାନ (୫୬)ଙ୍କୁ ଗିରଫ କରାଯାଇଛି ବୋଲି ଏସ୍ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି । ଏମାନଙ୍କ ନାମରେ ଜମେନକିରା ଥାନାର ମାମଲା ସଂଖ୍ୟା ୭୭ ଅନୁସାରେ ଅସ୍ତ୍ରଶସ୍ତ୍ର ନିବାରଣ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଜମେନକିରା ଥାନା ବଡ଼ରମା ଠାରେ ଦେଶୀ ବନ୍ଧୁକ ତିଆରି କାରଖାନା ଥିବା ଖବର ପାଇ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସ୍ପି କହିଛନ୍ତିି । ଚଢ଼ଉ ସମୟରେ ୩୦ଟି ଅଫୁଟା ଗୁଳି, ଦୁଇଟି ମୋବାଇଲ ଫୋନ୍, ପ୍ଲାସ୍, ପେଚ୍କସ୍, ଆରିପତି ପ୍ରଭୃତି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ଦେଶୀ ବନ୍ଧୁକ ତିଆରି କରି ଅନ୍ୟତ୍ର ବିକି୍ର କରୁଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ପ୍ରଥମେ ଚିରଗୁଣଖୋଲ ଓ ପରେ ବାସୁପାଲିରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳୀନରେ କୁଚିଣ୍ଡା ଏସ୍ଡିପିଓ ଅମିତାବ ପଣ୍ଡା, ସଦର ଏସ୍ଡିପିଓ ତୋଫାନ୍ ବାଗ୍ ଉପସ୍ଥିତ ଥିଲେ ।