‘ପୁରାତନ ସେନ୍ପାର୍କର ଉଦ୍ୟାନ ସ୍ୱରୂପ ବଜାୟ ରହୁ’
ସମ୍ବଲପୁର: ସମ୍ବଲପୁରର ପ୍ରଥମ ଓକିଲ ଯୋଗେନ୍ଦ୍ର ନାଥ ସେନ୍ ସହର ମଧ୍ୟରେ ପାର୍କ କରିବା ପାଇଁ ଜମିଦାନ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ନାମରେ ସେନ୍ପାର୍କ ଗଢି ଉଠିଥିଲା । ଏହା ଦୀର୍ଘଦିନ ଧରି ଅବହେଳିତ ଓ ଅବ୍ୟବହୃତ ଭାବେ ପଡି ରହିଥିଲା । ଅଞ୍ଚଳର କିଛି ସଚେତନ ବ୍ୟକ୍ତି ଏକ କମିଟି ଗଠନ କରି ପାର୍କର ପୁନରୁଦ୍ଧାର କରିଥିଲେ । ସମ୍ବଲପୁର ମହାନଗର ନିଗମ ସହଯୋଗ କରିଥିଲା । ସମସ୍ତଙ୍କ ପ୍ରୟାସରେ ଶୁଷ୍କ ଅବହେଳିତ ଜମି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ ପାଇଁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟରକ୍ଷା ଓ ଅବସର ବିନୋଦନ ହୋଇପାରୁଛି । ଫଳରେ ଆଖପାଖ ଅଞ୍ଚଳର ଲୋକେ ଉପକୃତ ହେଉଛନ୍ତି । ତେବେ ଏହାକୁ ମୁମ୍ବାଇର ଏକ ବେସରକାରୀ କମ୍ପାନୀ ହାତରେ ଟେକି ଦେବାକୁ ମସୁଧା ଚାଲିଛି । ଅତ୍ୟାଧୁନିକ ଚିତ୍ତବିନୋଦନ କେନ୍ଦ୍ରରେ ପରିଣତ କରିବାକୁ ପ୍ରଚେଷ୍ଟା କରାଯାଉଛି । ଏହାକୁ ସେନ୍ପାର୍କ ସୁରକ୍ଷା ସମିତି ବିରୋଧ କରିବା ସହ ଉଦ୍ୟାନ ସ୍ୱରୂପ ବଜାୟ ରଖିବାକୁ ଦାବି କରିଛନ୍ତି । ଏ ନେଇ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି । ଏଥିରେ ସେନ୍ପାର୍କ ସୁରକ୍ଷା ସମିତି ସଭାପତି ଗୋକୁଳ ମେହେର, ସମ୍ପାଦକ ମହମ୍ମଦ ସନ୍ନାଉଲ୍ଲା, ପ୍ରଦୀପ କୁମାର ପଣ୍ଡା, ମହମ୍ମଦ ଇସାକ୍, ଅଶୋକ ପଟେଲ, ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବେ ପୌରସଂସ୍ଥା ଦ୍ୱାରା ଏହି ପାର୍କର ନବୀକରଣ କରାଯାଇଥିଲା ।