ତଦନ୍ତରେ ପକ୍ଷପାତିତା କରାଯିବ ନାହିଁ: କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନରେ ନିର୍ୟାତନା ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଖାଲି ନିଲମ୍ବନ ନା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ନେଇ ସବୁଠି ପ୍ରଶ୍ନ ଉଠିଛି। ଘଟଣା ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ଯେ ତଦନ୍ତରେ କୌଣସି ପକ୍ଷପାତିତା କରାଯିବ ନାହିଁ। ସେପଟେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ରାତି ତମମା ଜେରା କରିଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ସମସ୍ତ ତଥ୍ୟର ତର୍ଜମା ଚାଲିଛି।
ସୂଚନା ଅନୁସାରେ, ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ ଆକ୍ସନ ମୋଡକୁ ଆସିଥିଲେ । ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ୩ଦିନ ମଧ୍ୟରେ(୨୦ତାରିଖ ସୁଦ୍ଧା) କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି କମିଶନ ଆଶାବ୍ୟକ୍ତ କରିଥିଲେ।
ଏହି ଘଟଣାରେ ଏନସିଡବ୍ଲ୍ୟୁଙ୍କ ଏଭଳି ତତ୍ପରତା ଓ ଭାରତୀୟ ସେନା ପକ୍ଷରୁ ତୀବ୍ର ଆପତ୍ତି ଉଠାଯିବା ପରେ ଭରତପୁର ଥାନା ଆଇଆଇସିଙ୍କ ସମେତ ମୋଟ ୫ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ଡିଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିଲେ । ସେନାର ଅବସରପ୍ରାପ୍ତ ଅଫିସର ଓ କର୍ମଚାରୀମାନେ ମଧ୍ୟ କମିଶନରେଟ ପୁଲିସ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ନ୍ୟାୟ ଦାବି କରିଥିଲେ । ଏପରିକି ୧୯ତାରିଖରେ ସେନା ଅଫିସରଙ୍କ ବାନ୍ଧବୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କ ସହ ପୁଲିସର ଅମାନବୀୟ ଓ ବର୍ବର କାର୍ୟ୍ୟ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ ।