ବିଜେଡ଼ି କହିଲା ‘ପାଣ୍ଡିଆନ୍ ଗୋ-ବ୍ୟାକ୍’

ଭୁବନେଶ୍ୱର : ଦିନେ ପାଣ୍ଡିଆନଙ୍କ ବିରୋଧରେ କହିଲେ ପାଟି ଖନି ମାରି ଯାଉଥିଲା । କିନ୍ତୁ ଏବେ ପାଣ୍ଡିଆନ୍ ଗୋ ବ୍ୟାକ୍, ଗୋ ବ୍ୟାକ୍ ନାରାରେ କମ୍ପି ଉଠୁଛି ନବୀନ ନିବାସ । ବିଜେପି କି କଂଗ୍ରେସ ନୁହେଁ, ବିଜେଡ଼ି କର୍ମୀ ଓ ନେତାମାନେ ହିଁ ଏମିତି ନାରା ଦେଉଛନ୍ତି । ଯାହା ଏବେ ପାଣ୍ଡିଆନ ଗୋଷ୍ଠୀଙ୍କ ଶିବିରରେ କମ୍ପନ ସୃଷ୍ଟି କରିଛି ।
କଥାରେ ଅଛି, ‘ଗୋଠ ମାତିଲେ, ଖଣ୍ଡିଆ ମାତେ ।’ ବିଜେଡ଼ିରେ ଏବେ ସେମିତି ପରିସ୍ଥିତି ସୃଷ୍ଟି ହୋଇଛି । ବରିଷ୍ଠମାନେ ପାଣ୍ଡିଆନ୍ଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେବା ପରେ ଛାତ୍ର ଓ ଯୁବନେତା ଉତ୍ସାହିତ ହୋଇ ଯାଇଛନ୍ତି । ଆଗରୁ ସୋସିଆଲ ମିଡ଼ିଆ ଓ ଶଙ୍ଖ ଭବନରେ ଯୁବନେତାଙ୍କ ହୁଙ୍କାର ଶୁଣିବାକୁ ମିଳିଥିଲା । ଏବେ କିନ୍ତୁ ନବୀନ ନିବାସ ଫାଟକ ଡେଇଁ ଯୁବନେତାମାନେ ନାରା ଦେଉଛନ୍ତି । ନବୀନଙ୍କ କାନରେ ପଡ଼ିବା ଭଳି ଚଢ଼ା ଗଳାରେ ପାଣ୍ଡିଆନ୍ ଗୋ ବ୍ୟାକ କହୁଛନ୍ତି । ଚେଲା ଚାମୁଣ୍ଡାଙ୍କୁ ଧରି ଭିକେ ପାଣ୍ଡିଆନ୍ ଡ୍ୟାମେଜ୍ କଂଟ୍ରୋଲ କରୁଛନ୍ତି । ହେଲେ ପାଣ୍ଡିଆନଙ୍କ ବିଜେଡ଼ି ନାଟକ ଫ୍ଲପ ହେବବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ପ୍ରଭାତ ତ୍ରିପାଠୀ, ବଦ୍ରି ନାରାୟଣ ପାତ୍ର, ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାମାନେ ସିଧାସଳଖ ପାଣ୍ଡିଆନଙ୍କୁ କାଠଗଡ଼ାରେ ଛିଡ଼ା କରିସାରିଛନ୍ତି । ବିଜୁ ଜନତା ଦଳରେ ପାଣ୍ଡିଆନ୍ କମ୍ପନ ବି ଅନୁଭୂତ ହେଲାଣି । ହେଲେ ପଲଟିକାଲ ସ୍କେଲରେ କମ୍ପନର ତୀବ୍ରତା କମ୍ ରହିଛି । ଧିରେଧିରେ ଏହି କମ୍ପନ ବଢ଼ିବ । ପାଣ୍ଡିଆନଙ୍କ ବିରୋଧରେ ଖାଲି ଭୁବନେଶ୍ୱରରେ ନୁହେଁ ଗାଁ ଗାଁରେ ବି ସ୍ୱର ଉତ୍ତୋଳନ ଆରମ୍ଭ ହେଲାଣି । ଲୋକଙ୍କର ଧାରଣା, ବିଜେପିକୁ ସୁହାଇବା ଭଳି ପାଣ୍ଡିଆନ୍ ରଣନୀତି କରୁଛନ୍ତି । ଯାହାଫଳରେ ଦଳ କ୍ଷତିଗ୍ରସ୍ତ ହେବ । ଗତ ନିର୍ବାଚନରେ ବିଜେପି ପାଖରେ ପାଣ୍ଡିଆନଙ୍କ ନସରପସରକୁ ଅନେକ ନେତା ନାପସନ୍ଦ କରିଥିଲେ । ଟିକେଟ୍ କଟିବା ଭୟରେ ସମସ୍ତେ ଚୁପ୍ ରହିଥିଲେ । କିନ୍ତୁ ଏବେ ବିଜେଡ଼ି କ୍ଷମତାରୁ ଯିବା ପରେ ନେତାମାନେ ସ୍ୱର ଉତ୍ତୋଳନ ଆରମ୍ଭ କରିଛନ୍ତି । ଅନେକ ବରିଷ୍ଠ ନେତାମାନଙ୍କୁ ପାଣ୍ଡିଆନ୍ ଆଦୌ ଗୁରୁତ୍ୱ ଦେଉନଥିଲେ । ନବୀନଙ୍କ ନାଁ ନେଇ ସେମାନଙ୍କୁ ଉଠ୍ ବସ୍ କରାଉଥିଲେ । ସେମାନେ ଏବେ ପୁରୁଣା ରାଗ ଶୁଝାଇବା ଆରମ୍ଭ କରିଛନ୍ତି । ନବୀନ ଯଦି ଏବେଠାରୁ ପଦକ୍ଷେପ ନନେବେ ତେବେ ଆଗାମୀ ଦିନରେ ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ।