ଖୋଲା ଆକାଶ ତଳେ ଭିଜୁଛି ଧାନ
ଗୋଲାମୁଣ୍ଡାରୁ ଲବ୍ଜୀ ପଟେଲ୍ : କଳାହାଣ୍ଡି ଜିଲ୍ଲାର ସବୁ ଠାରୁ ବଡ ଆରଏମ୍ସି ହେଉଛି ଜୁନାଗଡ଼ ଆରଏମସି । ହେଲେ ଜୁନାଗଡ଼ ଏତେ ବଡ ଆରଏମସି ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ସୁଧୁରି ପାରିନାହିଁ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ପ୍ରତିଶତ ନେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ଫେଲ୍ ମାରିଛି । ବର୍ତ୍ତମାନ ଏବେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କ ଆର୍ଥôକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ସେଡ୍ ନ ଥିବା ଯୋଗୁଁ ଖୋଲା ଆକାଶ ତଳେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ମଣ୍ଡିରେ ଭିଜୁଛି ।
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକକୁ ନେଇ ଗଠିତ ହୋଇଛି । ଚଳିତ ଖରିଫ ଋତୁ ଜୁନାଗଡ଼ ଆରଏମସି ପକ୍ଷରୁ ୭୮ଟି ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ସେଥି ମଧ୍ୟରୁ ଜୁନାଗଡ଼ ବ୍ଲକରେ ୩୯ଟି ମଣ୍ଡି, ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଥିବାବେଳେ ୨୭ଟି ମଣ୍ଡିରେ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି । ଗୋଲାମୁଣ୍ଡା ବ୍ଲକରେ ୧୭ଟି ମଣ୍ଡିରୁ ଗୋଟିଏ ମଣ୍ଡିରେ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବାବେଳେ ୧୬ ଟି ମଣ୍ଡିରେ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି । ସେହିଭଳି ଧର୍ମଗଡ଼ ବ୍ଲକରେ ୧୮ଟି ମଣ୍ଡି ମଧ୍ୟରୁ ୭ଟି ମଣ୍ଡିରୁ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୧୧ଟି ମଣ୍ଡିରୁ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି । ସମୁଦାୟ ୫୯ଟି ମଣ୍ଡିରେ ପ୍ୟାକ୍ସ ଧାନ କ୍ରୟ କରୁଥିବାବେଳେ ୧୯ଟି ମଣ୍ଡିରେ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ସବୁଠୁ ବିଡମ୍ବନାର ବିଷୟ ଯେ, ଆଜି ବି ୧୩ଟି ମଣ୍ଡି ରେ ସେଡ୍ ନାହିଁ । ସେଡ ନ ଥିବା ମଣ୍ଡି ଗୁଡିକ ମଧ୍ୟରୁ ଖଲିଆପାଲି, ସାନଚେରଗାଁ, କୁହୁରା ଧାନ ମଣ୍ଡିରେ ଖୋଲା ଆକାଶରେ ଭିଜୁଛି ଚାଷୀଙ୍କ ଧାନ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ୨ ପ୍ରତିଶତ ନେଇଥାନ୍ତି । ହେଲେ ପରିତାପର ବିଷୟ ଆଜି ଜୁନାଗଡ଼ ଆରଏମସି ଅଧୀନରେ ଥିବା ୧୩ ଟି ମଣ୍ଡିରେ ସେଡ ନାହିଁ । ଚାଷୀମାନେ ଦିନ ଦିନ ଧରି ଖରା, ବର୍ଷା ଓ ଶୀତକୁ ସାଥି କରି ଧାନକୁ ଜଗିବସି ଥାନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା, ଚାଷୀନେତା, ନିର୍ବାଚିତ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ମଧ୍ୟ ଏ ଦିଗରେ ଧ୍ୟାନ ଦିଅନ୍ତି ନାହିଁ । ଯାହାଫଳରେ ଆଜି ବି ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମିଲର୍ସମାନେ ମଧ୍ୟ ଚାଷୀଙ୍କ ଅବସ୍ଥା ଦେଖି କଟ୍ନୀଛଟ୍ନୀ ମାଡ଼ କରି ଚାଷୀଙ୍କୁ ତଳିତଳାନ୍ତ କରିବାକୁ ଲାଗି ପଡ଼ିଥାନ୍ତି । ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ଥିବାବେଳେ ଗତ ୨୪ ବର୍ଷର ବିଜେଡି ସରକାର ଏ ଦିଗରେ ଧ୍ୟାନ ଦେଲେ ନାହିଁ । ବର୍ତ୍ତମାନ ବିଜେପି ସରକାର ଓଡ଼ିଶାରେ ନିଜର ସାମ୍ରାଜ୍ୟ ଆରମ୍ଭ କରିଛନ୍ତି । ଦେଖାଯାଉ ଚାଷୀଙ୍କ ସରକାର କେତେ ଯନôବାନ ହେବ ତାହା ଦେଖିବାକୁ ବାକି ରହିଲା ।