ଘରୋଇ ଜାଗା ପାଇଁ ହୋଇପାରୁନି ରାସ୍ତା: ଯାତାୟାତ ପାଇଁ ହନ୍ତସନ୍ତ ପଥଚାରୀ

ନିଆଳିରୁ ଅଞ୍ଜୁଶା ଦାସ: ନିଆଳି ବ୍ଲକ ତିହୁଡି ପଞ୍ଚାୟତ ପଟେଳିରୁ ତିହୁଡି ମୁଖ୍ୟ ରାସ୍ତାଟି ନିଆଳି ଗ୍ରାମ୍ୟ ଉନ୍ନୟନ ଅଧୀନରେ ରହିଛି । ଯାହାକୁ ନେଇ ଏହି ରାସ୍ତାର କିଛି ଅଂଶ ଘରୋଇ ଜାଗା ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ କଂକ୍ରିଟ ରାସ୍ତା ନିର୍ମାଣ କରିବାରେ ବାଧା ଉପୁଜିଛି । ଯାହାଫଳରେ ଜଗତସିଂହପୁରରୁ ନିଆଳି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ଆସୁଥିବା ଲୋକେ ଓ ନିଆଳି, ପୁରୀ ଓ ଖୋର୍ଦ୍ଧାରୁ ଜଗତସିଂହପୁର ଜିଲ୍ଲାକୁ ଯାଉଥିବା ଲୋକମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ରାସ୍ତା ମଝିରେ କିଛି ଅଂଶ ଘରୋଇ ଜାଗା ଥିବାରୁ ସମ୍ପୃକ୍ତ ପରିବାର ଲୋକମାନେ ଜାଗା ଛାଡୁ ନାହାଁନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୨୦ ବର୍ଷରୁ ଊଦ୍ଧ୍ୱର୍ ସାମୂହିକ ଯାତାୟାତ କଲେ, ଯଦି ଏହା ନଦୀ ସଜ୍ୟା ଓ ଗୋଚର ହୋଇନଥିବ ଏହା ସରକାରଙ୍କ ଖାତାକୁ ଚାଲିଯିବ । ସରକାର ଏହି ଜାଗା ଉପରେ ଅଧିକାର ସାବ୍ୟସ୍ତ କରିପାରିବେ କିନ୍ତୁ ଏହି ନିୟମ ଥିବା ସତ୍ତ୍ୱେ କାହିଁକି ସରକାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ରାସ୍ତାଟିକୁ ଢ଼ଳେଇ ପକାଇବା ନିମନ୍ତେ ପଦକ୍ଷେପ ନେଉନାହାନ୍ତି । ଯାହାଫଳରେ ଏହି ରାସ୍ତା ପାର୍ଶ୍ୱରେ ଥିବା ୧୦ରୁ ଊଦ୍ଧ୍ୱର୍ ପରିବାର ସାମାନ୍ୟ ବର୍ଷା ହେଲେ ରାସ୍ତାରୁ କାଦୁଅ ପାଣି ଗଡ଼ି ଘରେ ପଶିଯାଉଛି । ଏଥିସହିତ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଥିବାରୁ ଯାତାୟାତ ନିମନ୍ତେ ବାଧା ଉପୁଜିଛି । ଏହି ଦିଗରେ ଦୃଷ୍ଟି ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କଂକ୍ରିଟ ରାସ୍ତା ନିର୍ମାଣ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ନେଇ ତିହୁଡି ସରପଞ୍ଚ ଅଶ୍ୱିନୀ କୁମାର ମହାନ୍ତିଙ୍କୁ ପଚାରିବାରୁ ରାସ୍ତା ଖରାପ ଯୋଗୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସରକାର ଜମି ମାଲିକଙ୍କୁ ସହିତ ଆଲୋଚନା କରି ରାସ୍ତା ନିର୍ମାଣ କରନ୍ତୁ । ଏ ନେଇ ବିଭାଗୀୟ ଜେଇ ପ୍ରଣବ କୁମାର ବିଶ୍ୱାଳକୁ ପଚାରିବାରୁ ଉକ୍ତ ଜାଗା ଉପରେ କୋର୍ଟରେ ମାମଲା ଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ ।