ଜରାଜୀର୍ଣ୍ଣ ଅବସ୍ଥାରେ ଶିବମନ୍ଦିର

ନୂଆପଡା: ଓଡ଼ିଶା ସରକାର ରାଜ୍ୟର ସମସ୍ତ ମନ୍ଦିରର ଉନ୍ନତିକରଣ ନେଇ ଅନୁଦାନ ପ୍ରଦାନ କରୁଥିବାବେଳେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଧରମସାଗର ଶିବ ମନ୍ଦିରକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଉକ୍ତ ସର୍ବ ପୁରାତନ ଶିବମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ମନ୍ଦିର ରାଜାରାଜୁଡ଼ା ସମୟର ଅଟେ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରରେ ନିତ୍ୟ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ଏଥିର ପୂଜକ ତାଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତିଦିନ ଏଠାକୁ ଶହଶହ ଶ୍ରଦ୍ଧାଳୁ ଆସି ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପୂଜା କରିଥାନ୍ତି । ପ୍ରତିବର୍ଷ ଶିବରାତ୍ରି ସମୟରେ ଏଠାରେ ତିନିଦିନ ବ୍ୟାପୀ ମେଳା ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ହେଲେ ମନ୍ଦିର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଏକ ବହୁ ପୁରାତନ ଶିବ ମନ୍ଦିର ଭାଙ୍ଗି ଜରାଜୀର୍ଣ୍ଣ ଓ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଛି । ଏଣୁ ଏଥିପ୍ରତି ଲୋକ ପ୍ରତିନିଧି ତଥା ପ୍ରସାଶନ ଦୃଷ୍ଟି ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମହଲରେ ଦାବି ହୋଇ ଆସୁଛି ।