ଖୋଲିଲା ବାତ୍ୟା ଆଶ୍ରୟସ୍ଥଳୀ
ବ୍ରହ୍ମବରଦା: ସାମ୍ଭାବ୍ୟ ବାତ୍ୟା "ଦାନା" ପ୍ରଭାବରେ କୌଣସି ଗୋଟିଏ ଲୋକର ଯେପରି କିଛି କ୍ଷୟକ୍ଷତି ନ ଘଟେ ସେଥିଲାଗି ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତ ତରଫରୁ ଲୋକ ମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଠାରେ ବାତ୍ୟାର ପ୍ରଭାବରୁ ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲାଯାଇଛି । ଚାଳ ଛପର ଘର ଥିବା ଲୋକେ ଓ ଯେଉଁମାନେ ନିଜଘରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ସେମାନେ ଉକ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲି ଆସିବାକୁ ସ୍ତାନୀୟ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ତା ସହିତ ଉକ୍ତ ଆଶ୍ରୟ ସ୍ଥଳରେ ରାତିରେ ଆଲୁଅ ପାଇଁ ଜେନେରେଟର ବ୍ୟବସ୍ଥା ସହ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା ହୋଇଥିବା ପଞ୍ଚାୟତ ଅଧିକାରୀ ନିରଞ୍ଜନ ବଳ ସୂଚନା ଦେଇଛନ୍ତି । ଏହିପରି ଭାବେ ନିକଟ ବନ୍ଧଢିଅ ପଞ୍ଚାୟତର ସାହାପଡା, ଜୟ ସିଙ୍ଗଡା ଓ ବନ୍ଧଢିଅ ହାଇସ୍କୁଲ ଆଦି ତିନୋଟି ସ୍ଥାନରେ ସମାନ ଢଙ୍ଗରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ, ମହେଶ୍ୱରପୁର ପଞ୍ଚାୟତର ବଜାର ଘାଟ ନିକଟ ବିଦ୍ୟାଳୟରେ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯାଇଛି । ଏହି ଆଶ୍ରୟ ସ୍ଥଳକୁ ରସୁଲପୁର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟକାନ୍ତି ମିଶ୍ର, ତହସିଲଦାର ନିରଞ୍ଜନ ସାହୁ, ଆଡିସନାଲ ତହସିଲଦାର ଓ ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ, ଏସଆଇ ସୁଶାନ୍ତ ସେଠୀ ପ୍ରମୁଖ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।