ଔପଦାରେ ବ୍ୟାପକ କ୍ଷୟକ୍ଷତି
ଔପଦା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବାତ୍ୟା "ଦାନା’ ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବହୁ ଧନସମ୍ପତି ଉଜୁଡି ଯାଇଥିବା ବେଳେ ଜୀବନହାନିର ସୂଚନା ମିଳିନି । ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ "ଦାନା’ର ଲ୍ୟାଣ୍ଡଫଲ କରିବାର ପ୍ରାୟ ୨ଘଣ୍ଟା ପରେ ବାତ୍ୟାର ତାଣ୍ଡବ ଔପଦା ବ୍ଲକରେ ଦେଖିବାକୁ ମିଳିଥିଲା । ବାତ୍ୟାର ପ୍ରଖର ଏତେ ଜୋର ଥିଲା ଯେ, ବହୁ ପୁରୁଣା ଦିନର ବଡ଼ ବଡ଼ ଗଛ ଉପୁଡି ପଡିଥିଲା । ଫଳରେ ରାସ୍ତା ଅବରୋଧ ହୋଇ ଯାଇଥିଲା । ଚାଳ, ଆଜବେଷ୍ଟ, ଟାଇଲ ଛପର ସବୁ ଉଡି ଯାଇଥିଲା । ଏପରିକି ବଡ଼ବଡ଼ ଗଛ ଉପୁଡି ଘର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ପଞ୍ଚାୟତର ଲୋକଙ୍କ ଘରେ ପାଣି ପଶିଥିଲା । ଔପଦା ବଜାର ସମେତ ଅନ୍ୟ ସ୍ଥାନରେ ବହୁ ଦୋକାନ ଗୃହ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଅନେକ ଗାଡି ଉପରେ ଗଛ ପଡିରହିଥିବା ଦେଖିବାକୁ ମିଳିଛି । ଗଛ ପଡି ବିଦୁ୍ୟତ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡି ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମହାବାତ୍ୟା "ଦାନା "ର ତାଣ୍ଡବ ଲୀଳା ସାଧାରଣ ଜନତାଙ୍କ ଜୀବନ ଜୀବିକା ଉପରେ ଚିନ୍ତାର କାରଣ ପାଲଟିଛି । ଏଣୁ ତୁରନ୍ତ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।