ଦେଶରେ ପ୍ରଥମ ଟ୍ରେନ୍ରେ ଲାଗିଲା ଏଟିଏମ୍
ମୁମ୍ବାଇ: ଆର୍ଥିକସ୍ତରରେ ଯାତ୍ରୀଙ୍କୁ ଅତିରିକ୍ତ ସୁବିଧା ଯୋଗାଣ କ୍ଷେତ୍ରରେ ବିହୀତ ପଦକ୍ଷେପ ନେଇଛି ରେଳବିଭାଗ । ଦେଶରେ ପ୍ରଥମ ଥର ପାଇଁ ଟ୍ରେନ୍ରେ ଲଗାଯାଇଛି ଏଟିଏମ୍ । ମୁମ୍ବାଇ-ମନ୍ମଦ ପଞ୍ଚବଟୀ ଏକ୍ସପ୍ରେସ୍ରେ ଏହି ଏଟିଏମ୍କୁ ଇନ୍ଷ୍ଟାଲ୍ କରାଯାଇଥିବା ବେଳେ ଯାତ୍ରା ଅବଧି ବେଳେ ଏଥିରୁ ଟଙ୍କା ଉଠାଣର ଲାଭ ଉଠାଇପାରିବେ ଯାତ୍ରୀ । ଏକ ଘରୋଇ ବ୍ୟାଙ୍କ ପକ୍ଷରୁ ଏହି ଏଟିଏମ୍କୁ ଇନ୍ଷ୍ଟାଲ୍ କରାଯାଇଥିବା ବେଳେ ପରୀକ୍ଷାମୂଳକ ଭାବେ ପ୍ରଥମଥର ପାଇଁ ପଞ୍ଚବଟୀ ଏକ୍ସପ୍ରେସ୍ରେ ଲଗାଯାଇଛି । ଯଦି ଏହା ସଫଳ ହୁଏ, ତେବେ ଆଗାମୀ ଦିନରେ ଅନ୍ୟ ଟ୍ରେନ୍ମାନଙ୍କରେ ଏହି ପାଇଲଟ୍ ପ୍ରୋଗ୍ରାମ୍କୁ ବ୍ୟାପକ କରାଯିବ ବୋଲି କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ସ୍ୱପ୍ନୀଲ ନିଳ ପ୍ରକାଶ କରିଛନ୍ତି । ତେବେ ଏହି ଏଟିଏମ୍କୁ ଟ୍ରେନ୍ର ପାଣ୍ଟି୍ରକାର୍ ନିକଟସ୍ଥ ଡବାକୁ ଲାଗି ଅନ୍ୟ ଏକ ସ୍ଥାନରେ ଉପସ୍ଥାପନା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଟିଏମ୍ ଡବାରେ ସ୍ୱତନ୍ତ୍ର ସଟର୍ ଲଗାଯାଇଛି । ମୁମ୍ବାଇ ସ୍ଥିତ ମନ୍ମଦ ରେଳଡବା କାରଖାନାରେ ଏହିବଗିକୁ ବିକଶିତ କରାଯାଇଥିବା ବେଳେ ଚଳନ୍ତା ଟ୍ରେନ୍ରେ ଏହା କେତେ କାର୍ଯ୍ୟକ୍ଷମ ଅର୍ଥାତ୍ ନେଟୱର୍କ ସମସ୍ୟା କେତେ ସୁଦୃଢ଼ ତାହାର ନୀରିକ୍ଷଣ କରୁଛନ୍ତି ରେଳ ଅଧିକାରୀ । ଯଦି ବିନା କୌଣସି ସମସ୍ୟାରେ ଏହି ଏଟିଏମ୍ ପ୍ରକଳ୍ପ ସଫଳ ହୁଏ ତେବେ ଆଗାମୀ ଦିନରେ ଅନ୍ୟ ଟ୍ରେନ୍ ଗୁଡ଼ିକରେ ଏହାକୁ ଉପସ୍ଥାପନା କରାଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ପଞ୍ଚବଟୀ ଏକ୍ସପ୍ରେସ୍ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲ୍ରୁ ବାହାରି ନାସିକ୍ର ମନ୍ମଦ ଜଙ୍କସନ୍ ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ୩୫ ମିନିଟ୍ ଯାତ୍ରା କରୁଛି । ଯାତ୍ରୀଙ୍କ ଉଦେ୍ଦଶ୍ୟରେ ଲଗାଯାଇଥିବା ଏହି ଏଟିଏମ୍କୁ ନେଇ ଏବେ ଯାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ଏହାକୁ ସଫଳ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।