କୁଚିପୁଡ଼ି ନୃତ୍ୟରେ ବିମୋହିତ ଦର୍ଶକ
ସାଉଥବଲଣ୍ଡା : ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଚାଲିଥିବା ୨୦ତମ ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଏମ୍ସିଏଲ୍ ତାଳଚେର କ୍ଷେତ୍ର ମହାପ୍ରବନ୍ଧକ ଅନୁପମ ଶ୍ରୀବାସ୍ତବ ଯୋଗ ଦେଇଥିଲେ । ଏହି ଅବସରରେ ସେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସମସ୍ତ ଶ୍ରଦ୍ଧାଳୁମାନଙ୍କର ମଙ୍ଗଳ କାମନା କରିଥିଲେ । ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ମୁରଲୀଧର ସାହୁ, ଅରୁଣ ପ୍ରଧାନ, ସଞ୍ଜୟ କୁମାର ସାହୁ, ସନ୍ତୋଷ ପ୍ରଧାନ ଓ ଗଗନ ବିହାରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟ ଜଗନ୍ନାଥ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ତାଳଚେର ସାଉଥବଲଣ୍ଡାର ନୃତ୍ୟଞ୍ଜଳି ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ପରିବେଷିତ କୃଷ୍ଣ ତାଣ୍ଡବ, ଆର୍ଏନ୍ବି ଡ୍ୟାନ୍ସ ଗ୍ରୁପର ଗଣେଶ ବନ୍ଦନା ଓ ବ୍ରାହ୍ମଣୀ ଡ୍ୟାନ୍ସ ଏକାଡେମୀର ଶିବ ତାଣ୍ଡବ ଦର୍ଶକମାନଙ୍କୁ ମତୁଆଲା କରିଦେଇଥିଲା । ସେହିପରି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟ "ସିଂହ ନନ୍ଦିନୀ’ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମରେ "ପାଇକ ବିଦ୍ରୋହ’ ଉପରେ ନୃତ୍ୟ ପରିବେଷଣ ଦର୍ଶକମାନଙ୍କ ମନୋରଞ୍ଜନର ଖୋରାକ ଯୋଗାଇଥିଲା । । କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଶୋଭନା ମିଶ୍ର ପରିଚାଳନା କରିଥିଲେ । ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଜିଲ୍ଲାପାଳ ନାରାୟଣ ସେଠି, ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତି ଦେହୁରୀ,ବରିଷ୍ଠ ରାଜସ୍ୱ ସହାୟକ ଧୂଲେଶ୍ୱର ବେହେରା ଓ ନିରାକାର ରାଉଳ ପ୍ରମୁଖ ସହଯୋଗ କରିଥିଲେ ।