ଚାକିରି ଅଶାୟୀଙ୍କ ମୃତ : OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ

ସୁନ୍ଦରଗଡ଼ : ଏକ ଦୁଃଖଦ ଘଟଣାରେ, ଆଜି ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSC) ଦ୍ୱାରା ପରିଚାଳିତ ଏକ ଶାରୀରିକ ପରୀକ୍ଷା ସମୟରେ ୨୫ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିବା ଜଣେ ଚାକିରି ଆଶାୟୀଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ନାମ ରାଉରକେଲାର ପ୍ରବୀଣ କୁମାର ପଣ୍ଡା। ରିପୋର୍ଟ ଅନୁଯାୟୀ, ବନରକ୍ଷୀ, ବନପାଳ ଏବଂ ପଶୁପାଳନ ନିରୀକ୍ଷକଙ୍କ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା କରାଯାଉଥିଲା। ପ୍ରବୀଣ ବନରକ୍ଷୀ ଏବଂ ବନପାଳ ପଦବୀ ପାଇଁ ଆବେଦନ କରିଥିଲେ। ଭବାନୀପୁରରୁ ବରଗଡା ପର୍ଯ୍ୟନ୍ତ ୨୫ କିଲୋମିଟର ଦୌଡ଼ ସମୟରେ, ପ୍ରବୀଣ ସଦର ପୋଲିସ ସୀମା ଅନ୍ତର୍ଗତ କିରେଇ ନିକଟରେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର ଉପକଣ୍ଠ ନରଣପୁର କାଠ ଡିପୋଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନରଣ ପୁର ଠାରୁ କଦଳିପସୀ ଭାୟା ଖୋଳପା ଦେଇ ଯାଇଥିବା ରାସ୍ତା ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜିଲାପାଳ ଏକ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଶାରୀରିକ ପରୀକ୍ଷା ପାଇଁ ଏହି ରାସ୍ତାରେ ଆଶାୟୀମାନେ ପ୍ରାୟ ୧୨. ୫କିଲୋମିଟର ରାସ୍ତା ଚାଲିବାକୁ ଥିବାବେଳେ ୧୫୦ଜଣ ଆଶାୟୀ ଏଥିରେ ଭାଗ ନେଇଥିଲେ। ତେବେ ସୋମବାର ୨୫ କିମି ଚାଲିବା ପାଇଁ ଅନୁଷ୍ଠିତ ପ୍ରତିଯୋଗିତାରେ ଜଣେ ଆଶାୟୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ନାମ ବ୍ୟୋମକେଶ ନାଏକ। ଘର ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ବୋଲି ଜଣାପଡିଛି। ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡିଏଫଓ କେନ୍ଦୁଝର ଧନରାଜ ଏଚଡି ସୂଚନା ଦେଇଛନ୍ତି। ଦୁଇଦିନ ହେଲା ଖରାର ପ୍ରକୋପ ବୃଦ୍ଧି ପାଇଥିବାରୁ ଦୀର୍ଘ ବାଟ ଚାଲିବା କାରଣରୁ ଅସୁସ୍ଥ ହୋଇ ପଡିଥିବା ଏବଂ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।