ସ୍ୱାମୀଙ୍କ ଏକାଦଶାହରେ ସ୍ତ୍ରୀଙ୍କ ମୃତୁ୍ୟ
ସାରସକଣା : ବିବାହ ସମୟରେ ହିନ୍ଦୁ ପ୍ରଥା ଅନୁସାରେ ସ୍ୱାମୀ ସ୍ତ୍ରୀ ସାତ ଜନ୍ମପାଇଁ ଏକାଠି ବନ୍ଧନରେ ବାନ୍ଧି ହୁଅନ୍ତି । ତେବେ ଦୁଃଖ କଷ୍ଟ ଯାହାବି ଆସୁନା କାହିଁକି ସ୍ୱାମୀ ସ୍ତ୍ରୀ ମିଳିମିଶି ସଂସାରରେ ଚାଲନ୍ତି । ଅନେକ ଡକା ଡୁକି ହୋଇ ମଧ୍ୟ ପାଖାପାଖି ବ୍ୟବଧାନରେ ଦୁନିଆ ଛାଡନ୍ତି । ଏଭଳି ଏକ ଭଲପାଇବାର ଉଦାହରଣ ଦେଖିବାକୁ ମିଳିଛି ସାରସକଣା ବ୍ଲକର ବମ୍ବେଛକ ବଜାର ଅଞ୍ଚଳରେ । ବମ୍ବେଛକ ବଜାରର ଟିପ ଟପ ଟେଲର ମାଲିକ ଗିରିଶ ଚନ୍ଦ୍ର ମହାପାତ୍ର(୯୪)ଙ୍କର ଗତ ମାର୍ଚ୍ଚ ୨୬ ତାରିଖରେ ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ଅଞ୍ଚଳବାସୀ ମର୍ମାହତ ହୋଇଥିଲେ । ତେବେ ଗିରିଶ ଚନ୍ଦ୍ର ମହାପାତ୍ରଙ୍କ ଏକାଦଶାହରେ ତାଙ୍କ ସହଧର୍ମିଣୀ ରେଣୁକା ମହାପାତ୍ର (୮୦)ଙ୍କର ମଧ୍ୟ ପରଲୋକ ହୋଇଛି । ସ୍ୱାମୀ ସ୍ତ୍ରୀ ଏପରି ନିବିଡ଼ ଭଲ ପାଇବାରେ ବନ୍ଧା ଥିଲା ଯେ କାଳ ବି ତାଙ୍କୁ ଅଲଗା କରି ପାରିଲାନାହିଁ । ସ୍ୱାମୀଙ୍କ ଏକାଦଶ କାର୍ଯ୍ୟ ସରୁ ସରୁ ସ୍ତ୍ରୀଙ୍କ ସ୍ୱର୍ଗଲୋକ ଯିବା ଭଗବାନଙ୍କ ସଂଯୋଗ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।