କ୍ଷତିଗ୍ରସ୍ତ ଚାଷୀଙ୍କ ଆନେ୍ଦାଳନ ଓ ଦାବିପତ୍ର 

 ହିଞ୍ଜିଳିକାଟୁ  ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା  । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା  । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି  । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନରେ ଆନନ୍ଦ ଲହରୀ ଖେଳିଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ ଦାଉ ସାଧିଛି  । ଡିସେମ୍ବର ମାସରେ ଚାଷୀ ଧାନ ଅମଳ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ଡିସେମ୍ବର ମାସ ପ୍ରଥମରୁ ହିଁ ବର୍ଷା ଦାଉ ସାଧିଥିଲା  । କଷ୍ଟମଷ୍ଟେ ଚାଷୀ ତାର ଅମଳ ଧାନକୁ ସାଇତି ରଖିବାରେ ଉଦ୍ୟମ କରି ସଫଳ ହୋଇଥିଲେ  । କିଛି ଚାଷୀ କ୍ଷେତରୁ ଧାନକାଟି ଖଳାରେ ଗଦା କରିଥିବା ବେଳେ କିଛି ଚାଷୀ ଧାନକୁ କାଟି କ୍ଷେତ୍ରରେ ହିଁ ଗଦା କରିଥିଲେ । ଏଭଳି ସମୟରେ ଅଦିନିଆ ଲଘୁଚାପ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା  । ଫଳରେ ଚାଷୀ ତାର ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖି ପାରିଲେନି ତାହା କ୍ଷତିଗ୍ରସ୍ତ ହୋଇଥିଲା । ବର୍ଷା ଫଳରେ ଚାଷଜମିରେ ପଡିଥିବା ଧାନ ଗଜା ହୋଇପଡିଛି  । ଏଭଳି ପରିସ୍ଥିତିରେ ଚାଷୀ ତାର ବର୍ଷକର ଭାତହାଣ୍ଡିକୁ ହରାଇ ବସିଛି  । ଏଭଳି ସ୍ଥିତିରେ ଚାଷୀଙ୍କ ଧାନକୁ ମଣ୍ଡିରେ ଗ୍ରହଣ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଚାଷୀଙ୍କୁ କ୍ଷତିପୁରଣ ରାଶି ଓ ସହାୟତା ପ୍ରଦାନ ନେଇ ଗୁରୁବାର ସ୍ଥାନୀୟ ବ୍ଳକର ବହୁ ପଞ୍ଚାୟତର ଶତାଧିକ ଚାଷୀ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ତହସିଲଦାର ଭିକାରୀ ସାହୁଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ସ୍ଥାନୀୟ ପୈରାଞ୍ଚଳ ଆରଏମସି ଛକରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ ।