ବଢୁଛି ଜମି ଦଲାଲଙ୍କ ପ୍ରାଦୁର୍ଭାବ 

 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଜମି ଦଲାଲଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ବଡ଼ ବଡ଼ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଦଲାଲଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିଲା, କିନ୍ତୁ ଆଜିର ଦିନରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହା ଦେଖିବାକୁ ମିଳୁଛି । ବିଶେଷ କରି ଗଞ୍ଜାମ ଜିଲ୍ଲାର କନିସୀ, କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟମାନଙ୍କରେ ଦଲାଲଙ୍କ ବେଶ୍ ଭିଡ ଜମୁଥିବା ଦେଖିବାକୁ ମିଳିଥାଏ । କାରଣ ଏହା ପଛରେ ବହୁ ବିପଦପୂର୍ଣ୍ଣ ବିଷୟବସ୍ତୁ ଲୁଚି ରହିଛି । ଉଦାହରଣସ୍ୱରୂପ, ସାଧାରଣ ନିରୀହ ଚାଷୀଙ୍କର ଜମି କ୍ରୟ କରିବା ପାଇଁ ଜଣେ ବିଲଡର ଯେତେବେଳେ ଇଚ୍ଛା କରିଥାଏ, ସେତେବେଳେ ଚାଷୀ ଜଣଙ୍କ ଅନାବଶ୍ୟକ ଥିବା କାରଣରୁ ତାହାକୁ ବିକ୍ରି କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ଉକ୍ତ ବିଲ୍ଡର୍ସ ଏହାର ବଦଲା ସ୍ୱରୂପ ସ୍ଥାନୀୟ ଦଲାଲଙ୍କୁ ଅଧିକ କମିଶନର ଆଶା ଦେଖାଇବା ହେତୁ ଏହି ଦଲାଲମାନେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଦଖଲ କରି ଜୋର ଜବରଦସ୍ତି ଭାବରେ କର୍ମଚାରୀଙ୍କୁ ଅନେକ ମାତ୍ରାରେ ହାତଗୁଞ୍ଜା ଦେଇ ଆଶା କରିଥିବା ଜମି କାଗଜପତ୍ରର ଖତିୟାନ ଓ ପ୍ଲଟ ନମ୍ବର ସହ ନକ୍ସା ବାହାର କରିବା ପାଇଁ ବାଧ୍ୟ କରିଥାନ୍ତି । ଯାହାଫଳରେ ଲୋଭରେ ଶିକାର ହୋଇ ଏହା କରିବା ପାଇଁ ବାଧ୍ୟ ହୋଇଥାନ୍ତି, କିନ୍ତୁ ଏହାର ପରିଣାମ ସ୍ୱରୂପ ଯେଉଁ ନୀରିହ ବ୍ୟକ୍ତି ଜଣକ ବିକ୍ରି କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି ତାଙ୍କ ପାଇଁ ବିପଦର ବୁଢିଆଣୀ ଜାଲ ବିଛାଯାଇଥାଏ । କାରଣ ଚାଷୀର ଅଜାଣତରେ ତାଙ୍କ ଜମିକୁ ଜୋର ଜବରଦସ୍ତି ଭାଙ୍ଗି ସମାନ୍ତରାଳ କରିବା ସହ ସମ୍ପୂର୍ଣ୍ଣ ଭାବେ ଜମିର ନକ୍ସାକୁ ଚତୁରତା ସହ ବଦଳେଇ ଦେଇଥାନ୍ତି । ଯାହାଫଳରେ ନିରୀହ ଚାଷୀଟି ଏହି ଦଲାଲ୍ଙ୍କ ଧମକପୂର୍ଣ୍ଣ ପାଇଁ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ୱେ ବିକ୍ରୟ କରିବାକୁ ପଛାଏ ନାହିଁ ।  ଏହିପରି ଗୁଣ୍ଡାଗର୍ଦ୍ଦି କରି ଜମି ଦଖଲ କରିବା ସହ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ କବ୍ଜା କରିବା ଯୋଗୁଁ ଅନ୍ୟ କାର୍ଯ୍ୟରେ ଆସୁଥିବା ସାଧାରଣ ଜନତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।  ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ସରକାରୀ ଓ ଗୋଚର ଜମି କେବଳ କାଗଜ କଲମରେ ସୀମିତ । କିନ୍ତୁ ଉକ୍ତ ଜମି ଓ ଜାଗାକୁ ମାଫିଆମାନେ କବ୍ଜାରେ ରଖିଛନ୍ତି । ପ୍ରଶାସନ ସବୁଜାଣି ନ ଜାଣିବା ପରି ଅଭିନୟ କରୁଛି । କାରଣ ସେଥିରେ ପ୍ରଶାସନ ଅଧିକାରୀଙ୍କ କୁଆଡେ ଭାଗ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହାକୁ ନେଇ ଆରଟିଆଇ ମାଧ୍ୟମରେ ସରକାରୀ ଓ ଗୋଚର ଜମି କୁକୁଡାଖଣ୍ଡି ଓ କନିସୀ ତହସିଲଦାରଙ୍କୁ ତଥ୍ୟ ମଗାଯାଇଛି ଯାହାକି କାଗଜ କଲମରେ ଏହି ତଥ୍ୟ ରହିଛି । କିନ୍ତୁ ଉକ୍ତ ଗୋଚର ଓ ସରକାରୀ ଜମିରେ ମା ମାଳ କୋଠା ଠିଆ ହୋଇଥିବା ଦେଖିବାକୁ ମିଳୁଛି । ସୂଚନାଥାଉକି, କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ହୁଗୁଳାପଟା ମୁଖ୍ୟ ସଡକ, ଯାହାକି ସରକାରୀ ଓ ଗୋଚର ଜମି । ଯାହାକୁ କିଛି ଲୋକ ଜୋର ଜବରଦସ୍ତ କିଛି ମାଫିଆଙ୍କ ଜରିଆରେ କବ୍ଜାରେ ରଖିଛନ୍ତି । ଏହାକୁ ନେଇ ଅନେକ ଅଭିଯୋଗ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ହୋଇଛି । କିନ୍ତୁ ଲୋକୋ ଦେଖାଣିଆ ଭାବରେ ଭାଙ୍ଗିବାକୁ ପ୍ରଶାସନ ନୋଟିସ୍ କରି ଏବଂ ସେଥିରୁ କିପରି ବଞ୍ଚିବେ ସେ ଗଳା ବାଟ ବି ଉକ୍ତ ଜବରଦଖଲକାରୀଙ୍କୁ ପ୍ରଶାସନ ଜଣାଇଥିଲା । ଯାହାଫଳରେ ସେମାନେ ସ୍ଥାନୀୟ ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେଇଥିଲେ । କିନ୍ତୁ କିଛି ବର୍ଷ ପରେ ଅଦାଲତ ଉକ୍ତ କେସ୍କୁ ଖାରଜ କଲା । ଯାହାର ତଥ୍ୟ ବି ଗଞ୍ଜାମ ଜିଲ୍ଲାପାଳ କୁକୁଡାଖଣ୍ଡି ତହସିଲଦାରଙ୍କୁ ଅବଗତ କରାଗଲା । ତଥାପି ପ୍ରଶାସନ ନୀରବ, ଏଠାରୁ ଅନୁମାନ କରାଯାଇପାରେ ଦୁର୍ନୀତିର ଚେର କେତେ ବାଟ ଲମ୍ବିଛି ।  ଗଞ୍ଜାମ ଜିଲ୍ଲାର ଜମି ମାଫିଆମାନେ ଗୋଚର ଓ ସରକାରୀ ଜମି ଜବରଦଖଲ କରିବାକୁ ଗୋଟିଏ ସହଜ ଉପାୟ ଆପଣାଇଛନ୍ତି । ଉକ୍ତ ଜାଗାରେ ମନ୍ଦିର, ବୃଦ୍ଧା ଆଶ୍ରମ କରି ଜବରଦଖଲ କରିବା ବି ଦେଖିବାକୁ ମିଳୁଛି । ନୂତନ ସରକାର ଆସିବା ସଙ୍ଗେ ସଙ୍ଗେ ଜବର ଦଖଲ ଉଚ୍ଛେଦ ପାଇଁ କଡା ନିୟମ ପାଳନ କରିଛି କିନ୍ତୁ ଗଞ୍ଜାମ ଜିଲ୍ଲା ଏଥିରୁ ବ୍ୟତିକ୍ରମ ଏଠାରେ ଜବରଦଖଲ ଉଚ୍ଛେଦ ପରିବର୍ତ୍ତେ ଜବର ଦଖଲ ପାଇଁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ସରକାରୀ ନିୟମକୁ ଜିଲ୍ଲା ପ୍ରଶାସନ ଫୁ’ କରୁଛି ବୋଲି ସାଧାରଣରେ ଚର୍ଚ୍ଚା । ତେଣୁ ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷ ଧ୍ୟାନ ଦେବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣରେ ଦାବି ହେଉଛି ।