ଅଂଶୁଘାତରେ ବୃଦ୍ଧଙ୍କ ମୃତୁ୍ୟ!
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମରେ ବୁଧବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଜୈନେକ ବୃଦ୍ଧଙ୍କ ଅଂଶୁଘାତରେ ମୃତୁ୍ୟ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି । ମୃତକ ଜଣଙ୍କ ହେଲେ ଖରିଡା ଗ୍ରାମ କେନାଲ ସାହିର ଦୀନବନ୍ଧୁ ବେହେରା (୫୮) ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଦୀନବନ୍ଧୁ କୌଣସି କାମରେ ଘରୁ ବାହାରି ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲେ । କିନ୍ତୁ ଘର ଠାରୁ ଚାଲି ଚାଲି ଯାଉଥିବା ବେଳେ ଗ୍ରାମ ଶେଷରେ ଥିବା ବ୍ରିଜ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେ ରାସ୍ତା ଉପରେ ହିଁ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ଶିକିରି ରାଜସ୍ୱ ନିରୀକ୍ଷକ ସୁବ୍ରତ କୁମାର ସାହୁ ପ୍ରମୂଖ ଡାକ୍ତରଖାନାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଈଛି । ତେବେ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟ ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି । ହିଞ୍ଜିଳିକାଟୁ ଅଞ୍ଚଳରେ ଏହା ଚଳିତ ବର୍ଷର ପ୍ରଥମ ଅଂଶୁଘାତ ଜନିତ ମୃତୁ୍ୟ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।