କେନାଲରେ ବୁଡି ଦୁଇ ଭାଇ ମୃତ 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଓଉଖମା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେନାଲରେ ବୁଡି ଦୁଇ ଭାଇଙ୍କ ମୃତୁ୍ୟ ଘଟିଛି । ମୃତକ ଦୁଇ ଜଣ ହେଲେ ଓଉଖମା ଗ୍ରାମର ଲାଲା ସାହୁଙ୍କ ଦୁଇ ପୁଅ ଓମ (୧୭) ଓ ସୋମ (୧୫) ।
ସୂଚନା ଅନୁଯାୟୀ, ସଦର ଥାନା ଓଉଖମା ଗ୍ରାମ ମଝୀ ସାହିର ଲାଲା ସାହୁଙ୍କ ଦୁଇ ପୁଅ ଓମ୍ ଓ ସୋମ ଅସହ୍ୟ ଗୁଳୁଗୁଳି ପାଇଁ ଅପରାହ୍ନରେ ଗ୍ରାମ ଠାରୁ ଅଳ୍ପ ଦୂରରେ ସରାକ ପାଟଣା ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଲି କେନାଲ ହୁଡାରେ ବସିଥିଲେ । ତେବେ କୌଣସି କାରଣରୁ ଜଣେ  କେନାଲରେ ଖସି ପଡି ବୁଡିଯିବାରୁ ତାକୁ ଆଉ ଜଣେ  ବଞ୍ଚାଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଓମ ଢେଙ୍କାନାଳ ସିନର୍ଜି ଇଞ୍ଜିନିଅରିଂ କଲେଜରେ ପଢ଼ୁଥିବାବେଳେ ସାନ ସୋମ ସ୍ଥାନୀୟ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ ।