ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟମ୍ ଠାରୁ ଡିଏନ୍କେ ପର୍ଯ୍ୟନ୍ତ ଏକ ସଚେତନତା ଗଣ ଦୌଡ଼ର ଆୟୋଜିତ ହୋଇଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅବକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯାଇଥିଲା । ଏହା ପରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଠାରେ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା । ଏହି ସଭାକୁ ବିଚାରପତି ସଙ୍ଗୀତା ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ଜିଲ୍ଲା ନିଶା ନିବାରଣ କେନ୍ଦ୍ର ଦ୍ୱାରା ନିଶା ମୁକ୍ତ ହୋଇଥିବା ଚାରି ଜଣ ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଦୁର୍ଗା କିନ୍ନରଙ୍କୁ ନିଶା ବିରୁଦ୍ଧ ପଦକ୍ଷେପ ନିମନ୍ତେ ସମ୍ବର୍ଦ୍ଧିତ ଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସିଭିଲ୍ କୋର୍ଟ ରେଜିଷ୍ଟ୍ରାର କୈଳାଶ ସାହୁ, ଅଶୋକ ପଟ୍ଟନାୟକ, ସାଗର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ଅବକାରୀ ଅଧିକ୍ଷକ, ବିମ୍ବାଧର ପଣ୍ଡା ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଜିଲ୍ଲା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।