ଆଦିବାସୀ ଡାକ୍ତରୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ
ମାଲକାନଗିରି : ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ଡାକ୍ତର ହେବାକୁ ଯାଉଥିବା ଚମ୍ପା ରାସପେଦାଙ୍କ ଗାଁରେ ପହଞ୍ଚô ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ । ଚମ୍ପା ଆଦିମ ଡିଡ଼ାୟୀ ଜନଜାତି ସମାଜର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । ଯାହା ଆମ ଜିଲ୍ଲା ମାଲକାନଗିରି ଓ ସମସ୍ତଙ୍କ ପାଇଁ ଗୌରବର ବିଷୟ ବୋଲି ଜିଲ୍ଲାପାଳ କହିଛନ୍ତି । ଡ଼ାକ୍ତର ହୋଇ ନିଜ ଜିଲ୍ଲାରେ ସେବା କରିବା ପାଇଁ ଜିଲ୍ଲାପାଳ ଚମ୍ପାଙ୍କୁ ପ୍ରୋତ୍ସାହିତ କରିଛନ୍ତି । ତତ୍ ସହିତ ଆଗାମୀ ଦିନରେ ବିଶେଷଜ୍ଞ ଡାକ୍ତର ହେବାକୁ ଲକ୍ଷ୍ୟ ରଖି ନିଜ ଅଞ୍ଚଳ ଓ ସମାଜର ସେବା କରିବା ପାଇଁ ଚମ୍ପାଙ୍କୁ ମାର୍ଗ ଦର୍ଶନ କରିଛନ୍ତି ଜିଲ୍ଲାପାଳ । ଏହି ଅବସରରେ ଜିଲ୍ଲାପାଳ ଚମ୍ପାଙ୍କ ସ୍କୁଲ ଓ କଲେଜ ଶିକ୍ଷା ଓ ନିଟ୍ ପ୍ରସ୍ତୁତି କିପରି ରହିଥିଲା ସେ ବିଷୟରେ ପଚାରି ବୁଝିଥିଲେ । ତାଙ୍କ ସଫଳତା ଅନେକ ଜନଜାତି ଛାତ୍ରଛାତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ବର୍ଗଙ୍କୁ ଅନୁପ୍ରାଣୀତ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଉକ୍ତ ଗ୍ରାମରେ ଅନେକ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଥିବା କଥା ଜାଣିବାକୁ ପାଇଥିଲେ । ଅମ୍ବଳିବେଡା ଗ୍ରାମ ଜଣେ ଡାକ୍ତରଙ୍କୁ ତିଆରି କରିଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ସେହି ଗ୍ରାମର ମୌଳିକ ଆବଶ୍ୟକତା ଯେପରିକି ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଜୁଳି, ଆବାସ ଗୃହ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ପାଖରେ ପାଇ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଚମ୍ପାଙ୍କୁ ସମ୍ବର୍ଦ୍ଧନା ଜଣାଇ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଏକ ଆଣ୍ଡ୍ରଏଡ ମୋବାଇଲ୍, ପୋଷାକ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପାଠପଢ଼ା ପାଇଁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏହି ଗସ୍ତ ସମୟରେ ଜିଲ୍ଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, କୋରକୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ ସାହୁ, ଡିଡ଼ାୟୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପରିଚାଳକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।