ବାଇକରେ ନିଆଯାଉଛି ଶବ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।ବର୍ଷାରେ ଭିଜି ଭିଜି ମଟରସାଇକେଲ ଯୋଗ ନିଆଯାଉଛି ଶବ । ସଚେତନତା ଅଭାବ ଯୋଗୁଁ ଶବ ବାହକ ଗାଡିକୁ ଖବର ନ ଦେଇ ନିଜ ସାମର୍ଥ୍ୟ ଅନୁଯାୟୀ ଯୋଗାଡ଼ କରି ବାଇକ୍ ପଛରେ ଶବ ବାନ୍ଧି ନେଉଛନ୍ତି । ପ୍ରକାଶ ଯେ, ରାଇଘର ବ୍ଲକ କୁନେ୍ଦଇ ପଞ୍ଚାୟତର ସମ୍ବଲପୁର ଗ୍ରାମର ଭାନୁବାଇ ରାଉତ (୭୦) ନିଜ ଝିଅ ଘର ତାରାଙ୍ଗପୁରୀ ଗ୍ରାମରେ ରହୁଥିଲେ । ତେବେ ଆଜି ଭାନୁବାଇଙ୍କ ମୃତୁ୍ୟ ଘଟିଥିବା ପରେ ଭାନୁବାଇଙ୍କ ପୁଅ ମୃତ ଶରୀରକୁ ଏକ ମଟରସାଇକେଲ ଯୋଗେ ବର୍ଷାରେ ଭିଜି ଭିଜି ପାଞ୍ଚ କିଲୋମିଟର ଦୂର ତାରାଙ୍ଗପୁରୀ ଗ୍ରାମରୁ ସମ୍ବଲପୁର ନିଜ ଗ୍ରାମକୁ ନେଉଥିବାର ଦେଖିବାକୁ ମିଳିଥିଲା । ଗାଁ ଶ୍ମଶାନରେ ମା’ଙ୍କ ଅନ୍ତିମ ସଂସ୍କାର କରିବାକୁ ଏହିପରି ପଦକ୍ଷେପ ନେଇଥିଲେ ବୋଲି ଜଣାପଡିଛି । ଅଞ୍ଚଳରେ ସଚେତନତାର ଅଭାବ ଯୋଗୁଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ବୁଦ୍ଧଜୀବୀ ମହଲରେ ବିଭିନ୍ନ ମତ ପ୍ରକାଶ ପାଉଛି ।