ମହାକୁମ୍ଭ: ଓଡ଼ିଶାର ୨୫ ସହରକୁ ସଂଯୋଗ କରୁଛି ୬୦ ସ୍ବତନ୍ତ୍ର ଟ୍ରେନ

ମହାକୁମ୍ଭ: ଓଡ଼ିଶାର ୨୫ ସହରକୁ ସଂଯୋଗ କରୁଛି ୬୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର :  ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ପୂର୍ବତଟ ରେଳପଥ ଅଧୀନ ଓଡ଼ିଶାର ୨୫ଟି ସହରରୁ ୬୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏଥିରୁ ୫୦ଟି କୁମ୍ଭ ସ୍ବତନ୍ତ୍ର ଟ୍ରେନ ସଫଳତାର ସହ ଯାତ୍ରା ଶେଷ କରିଛି। ଏହି ସ୍ବତନ୍ତ୍ର ଟ୍ରେନଗୁଡ଼ିକ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ୍‌, ବ୍ରହ୍ମପୁର ଆଦି ସହରକୁ ସଂଯୋଗ କରୁଛି। ଏସବୁ ଟ୍ରେନ୍‌ ମଧ୍ୟରେ ପୁରୀ ଏବଂ ତୁଣ୍ଡଲା ମଧ୍ୟରେ ପ୍ରୟାଗରାଜ ଦେଇ ଦୁଇ ଯୋଡ଼ା ଟ୍ରେନ ନଂ.୦୮୪୧୭ ଏବଂ ୦୮୪୭୫ ଚଳାଚଳ କରୁଛି। ଭୁବନେଶ୍ୱର-ତୁଣ୍ଡଲା, ପୁରୀ-ତୁଣ୍ଡଲା ଓ ବିଶାଖାପାଟଣା-ଗୋରଖପୁର ସ୍ବତନ୍ତ୍ର ଟ୍ରେନ ପ୍ରୟାଗରାଜ ଷ୍ଟେଶନ ଦେଇ ଚାଲୁଛି। ବ୍ରହ୍ମପୁର ଓ ବାଲୁଗାଁରୁ, ଯାଜପୁର କେନ୍ଦୁଝର ରୋଡ ଏବଂ ଯଖପୁରା, କେନ୍ଦୁଝରଗଡ ଏବଂ ନୟାଗଡ଼ରୁ ଢ଼େଙ୍କାନାଳ, ଅନୁଗୋଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର ସିଟିରୁ ରାୟଗଡା, କେସିଙ୍ଗା, କଣ୍ଟାବାଞ୍ଜି, ମୁନିଗୁଡା, ଟିଟିଲାଗଡ, ବଲାଙ୍ଗୀର, ବରଗଡ ରୋଡ, ସମ୍ବଲପୁର, ଝାରସୁଗୁଡ଼ାରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ସାମଗ୍ରିକ ଭାବରେ, ସ୍ବତନ୍ତ୍ର ଟ୍ରେନ ସେବାଗୁଡ଼ିକ ସମଗ୍ର ଓଡ଼ିଶାର ଏକ ବିସ୍ତୃତ ଭୌଗୋଳିକ ଅଞ୍ଚଳକୁ ସଂଯୋଗ କରୁଛି। ଭକ୍ତମାନଙ୍କ ପାଇଁ ଏକ ଅସୁବିଧାମୁକ୍ତ ଏବଂ ଆରାମଦାୟକ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳପଥ ଅନେକ ପଦକ୍ଷେପ ଗ୍ରହଣ କରିଛି। ପ୍ରୟାଗରାଜ ଜଙ୍କଶନ ଓ ଛେଓକି ସମେତ ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକରେ ନିବନିର୍ମିତ ଶୌଚାଳୟ, ପ୍ରଚୁର ପାନୀୟ ଜଳ ଏବଂ ଖାଦ୍ୟ କୋର୍ଟ ଭଳି ଉନ୍ନତ ସୁବିଧା ଉପଲବ୍ଧ ରହିଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।