ଡ୍ରେନ ମରାମତି ଦାବି

 ଭୁବନେଶ୍ୱର :  କେନ୍ଦୁଝର ସହର ସମେତ ଏହାର ଆଖ ପାଖ ଅଂଚଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଗୁଡିକର ମରାମତି ଅଭାବରୁ ଡ୍ରେନ ଗୁଡିକ ଭାଙ୍ଗିରୁଜି ଆବର୍ଜନା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ଡ୍ରେନ ଗୁଡିକର ମରାମତି ଓ ଭାରି ସାମଗ୍ରୀ ମାନ ରଖୁଥିବା ବ୍ୟକ୍ତି ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଡ୍ରେନଗୁଡିକ ଧୀରେ ଧୀରେ ଭାଙ୍ଗିରୁଜି ବିପଦପୂର୍ଣ୍ଣ ଅବସ୍ଥାରେ ପହଁଚିଛି । ଡ୍ରେନ ଗୁଡିକର କଭର ଗୁଡିକରେ ଗର୍ତହେବା ସହ କେଉଁଠି ଡ୍ରେନର ଉପର ପ୍ଲେଟ ଗୁଡିକ ଡ୍ରେନ ଭିତରେ ଖସି ପଡିଛି । ଯାହା ଫଳରେ ଡ୍ରେନ ରେ ଆବର୍ଜନା ପାଣି ଠିକ ଭାବେ ନିଷ୍କାସନ ହୋଇନପାରି ପାଣି ଜମି ରହି ପଚି ଦୁର୍ଗନ୍ଧ ସୃଷ୍ଟି ହେଉଛି, ଏବଂ ତତ ସହିତ ମଶା ମାଛି ମାନଙ୍କର ଉତ୍ପତି ସ୍ଥଳ ପାଲଟିଛି । ଡ୍ରେନ ଗୁଡିକର ଉପର କଭରରେ ଗର୍ତ ଓ ପ୍ଲେଟ ଗୁଡିକ ଭିତରେ ଖସି ପଡ଼ିଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଛୋଟ ଛୋଟ ପିଲା, ବୃଦ୍ଧ ବୃଦ୍ଧା, ଗାଇ ଗୋରୁ, ଛେଳି ସବୁ ଡ୍ରେନ ଉପର ଦେଇ ଯିବା ସମୟରେ ଡ୍ରେନରେ ପଡିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏହା ଛଡା ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କ ପାଇଁ ଏଭଳି ଅର୍ଦ୍ଧଭଗ୍ନ ଡ୍ରେନ ଆହୁରି ବିପଦ ହୋଇପଡିଛି, ଯାହାକି ପୌର ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ମରାମତି କରିବା ସହିତ ଡ୍ରେନ ଉପର ଜବର ଦଖଲମୁକ୍ତ ପାଇଁ ଦାବି ହୋଇଛି ।