ବାଜି ରାଉତ ଛାତ୍ରାବାସର ବାର୍ଷିକୋତ୍ସବ
ଅନୁଗୁଳ : ଅନୁଗୁଳର ପ୍ରତିଷ୍ଠିତ ଶିକ୍ଷଣ ସଂସ୍ଥାନ ବାଜି ରାଉତ ଛାତ୍ରାବାସର ୭୯ତମ ବାର୍ଷିକୋତ୍ସବ ଶାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଡ ବାସନ୍ତୀ ମହାନ୍ତି ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ ଦାସ ବେନହୁର ଯୋଗ ଦେଇ କହିଲେ ଯେ, ବାଜି ରାଉତ ଛାତ୍ରାବାସ ହେଉଛି ଏକ ଅଭଙ୍ଗା ପକ୍ଷୀ ବସା । ଅଶୀବର୍ଷ ହେଲା ଶହଶହ ପିଲା ଏହି ବସାରେ ବାସ କରି ଆସୁଛନ୍ତି ଓ ପର ଲାଗିଲା ପରେ ଏଠାରୁ ଉଡି ଯାଇ ଦେଶ ନିର୍ମାଣରେ ଲାଗିପଡୁଛନ୍ତି । ଛାତ୍ରାବାସର ଏହି ଅବଦାନର ଉଲ୍ଲେଖ ବିନା ଓଡିଶା ଇତିହାସ ଲେଖନ ସମ୍ଭବ ନୁହେଁ । ବରେଣ୍ୟ ଅତିଥି ଭାବେ ତାମିଲନାଡୁର ଗାନ୍ଧୀଗ୍ରାମ ଗ୍ରାମୀଣ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ୍ ପ୍ରଫେସର ଏଲ ରାଜା, ଡ. ଧରଣୀଧର ନାଥ, ଡ. କୁଳମଣି ନାୟକ, ଶିବାନୀ ନାଏକ, ଶୁଭଶ୍ରୀ ବେହେରା,ଶକ୍ତି ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରାବାସର ସଭାପତି କବି ଶୈଳଜ ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ କବୀର କୁମାର ଜେନାଙ୍କୁ ଶହୀଦ ବାଜି ରାଉତ ସମ୍ମାନ -୨୦୨୫ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଛାତ୍ରାବାସର ଅନ୍ତେବାସୀମାନଙ୍କ ଦ୍ୱାରା ହାତଲେଖା ପତ୍ରିକା ‘ବାଜି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସମ୍ପାଦକ ଇଂ ଧନେଶ୍ୱର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା ପ୍ରାରମ୍ଭରେ ଡାକ୍ତର ବିଶ୍ୱଜିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବିୟତ୍ରୀ ଇନ୍ଦିରା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବରାଳ, ପରିଚାଳକ କୈଳାଶ ଚନ୍ଦ୍ର ସାହୁ, ଆଦ୍ୟଶ୍ଲୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, ସୁଜାତା ପ୍ରୀତିନନ୍ଦା ପ୍ରମୁଖ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଗାନ୍ଧୀ କଥାକାର ନାରାୟଣ ଦେଶାଇ ରଚିତ ଓ ଜୟା ନାରାୟଣ ଦାସଙ୍କ ଅନୁଦିତ ବିଶ୍ୱାତ୍ମା ମହାତ୍ମା ଗୀତୀନାଟ୍ୟ ଛାତ୍ରାବାସର ଅନ୍ତେବାସୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।