ମାଛଧରା ଡଙ୍ଗାରୁ ୫ଟନ ଡ୍ରଗ୍ସ ଜବତ

 ନୂଆଦିଲ୍ଲୀ:  ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ ଟନ୍ ଡ୍ରଗ୍ସ ଜବତ କରିଛ । କୋଷ୍ଟଗାର୍ଡ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସର ଏହା ସବୁଠାରୁ ଅଧିକ ବୋଲି କୁହାଯାଉଛି । ଡ୍ରଗ୍ସ ଚୋରା ଚାଲାଣ ଏବଂ ମାଫିଆ ବିରୁଦ୍ଧରେ ଏବେ ବଡ଼ଧରଣର ଅପରେସନ କୋଷ୍ଟଗାର୍ଡ ଦ୍ୱାରା କରାଯାଉଥିବାବେଳେ ଏହାପୂର୍ବରୁ ମାସ ଆରମ୍ଭରେ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଗୁଜରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମିଥାମଫେଟାମାଇନ୍ (ମିଥ୍) ଜବତ କରିଥିଲେ । ଏହି ଘଟଣାରେ ୮ ଜଣ ଇରାନ ନାଗରିକ ଗିରଫ ହୋଇଥିଲେ । 
ଭାରତୀୟ ଜଳପଥରେ ଘଟୁଥିବା ଏହି ଘଟଣାରୁ ଏହା ସ୍ପଷ୍ଟ ହୋଇଛି ଯେ ସମୁଦ୍ର ମାର୍ଗ ଦେଇ ଡ୍ରଗ୍ସ କାରବାର ବୃଦ୍ଧି ପାଉଛି ଏବଂ ଏହାକୁ ରୋକିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ଡ୍ରଗ୍ସ ଚୋରା କାରବାରକୁ ରୋକିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ଗୁଜରାଟ ପୁଲିସର ଆତଙ୍କବାଦ ବିରୋଧୀ ଦଳ ମିଳିତ ଭାବେ ଅପରେସନ୍ ‘ସାଗର ମନ୍ଥନ -୪' ଚଳାଇଛନ୍ତି । ଗୁପ୍ତଚର ସୂଚନା ଆଧାରରେ ଏହି ଅପରେସନରେ ଏକ ନିର୍ଦ୍ଦିିଷ୍ଟ ଜାହାଜ ଚିହ୍ନଟ କରାଯାଇଥିଲା ଯାହା ନୌସେନା ଦ୍ୱାରା ଏହାର ସାମୁଦ୍ରିକ ପାଟ୍ରୋଲିଂ ଜାହାଜ ମାଧ୍ୟମରେ କଏଦ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସଫଳତାକୁ ପ୍ରଶଂସା କରିବା ସହ ଡ୍ରଗ୍ସ ବିରୋଧରେ ସରକାରଙ୍କ ଦୃଢ ପ୍ରତିବଦ୍ଧତା ଏବଂ ବିଭିନ୍ନ ଏଜେନ୍ସି ମଧ୍ୟରେ ଉକôୃଷ୍ଟ ସମନ୍ୱୟର ଏକ ଉଦାହରଣ ବୋଲି କହିଛନ୍ତି । ୨୦୧୪ ମସିହାରେ ଏପର୍ଯ୍ୟନ୍ତ ସମୁଦ୍ର ମାର୍ଗ ଦେଇ ୩୫୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । ଏହି ଘଟଣାରେ ୧୧ ଇରାନ ଏବଂ ୧୪ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଏହି ସମସ୍ତ ବିଦେଶୀ ନାଗରିକ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ଶୁଣାଣି କୋର୍ଟରେ ଚାଲିଛି ।