ଆନେ୍ଦାଳନ ଡାକରା ପରେ... ଚଣ୍ଡୀଖୋଲ-ଡୁବୁରୀ ରାସ୍ତା ମରାମତି ନାଁରେ ଚାଲିଛି ତାଳିପକା

 କବାଟବନ୍ଧ: ମରାମତି ନାଁରେ ଚାଲିଛି ତାଳିପକା କାର୍ଯ୍ୟ । ତାହା ପୁଣି ନିମ୍ନମାନର କରାଯାଉଛି । ଆନେ୍ଦାଳନ ଡାକରା ପରେ ତାଳିପକା କାର୍ଯ୍ୟ କରାଯାଉଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ୩୯କିମି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । କାମ ସରିବାର ନାଁ ଧରୁନାହିଁ । କେବେ ସରିବ ତାହା ସନେ୍ଦହ ରହିଛି । ଯେଉଁ ଦିନ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦିଆଯାଇଥିଲା ସେହିଦିନ ମଧ୍ୟ ଉକ୍ତ ରାସ୍ତାର ଡୁବୁରୀ ଠାରୁ କାମାକ୍ଷାନଗର ଓ କାମାକ୍ଷାନଗର ଠାରୁ ତାଳଚେର ପର୍ଯ୍ୟନ୍ତ ଏକା ସାଙ୍ଗେ ଶୁଭ ଦିଆଯାଇଥିଲା । ହେଲେ ଇତିମଧ୍ୟରେ ଗତ ଦେଢବର୍ଷ ପୂର୍ବରୁ ଡୁବୁରୀ-କାମାକ୍ଷାନଗର ଓ କାମାକ୍ଷାନଗର-ତାଳଚେର ଅଂଶରେ ରାସ୍ତାକାମ ପୂର୍ଣ୍ଣାଙ୍ଗ ହୋଇ ତାହା ଉଦଘାଟନ ହୋଇସାରିଛି । ହେଲେ ବିଡ଼ମ୍ବନା ଚଣ୍ଡିଖୋଲ-ଡୁବୁରୀ ଅଂଶର କାମ ଅଧପନ୍ତୁରିଆ ହୋଇ ପଡିରହିଛି । ଗୋଟିଏ ପଟେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଲୋକେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଥିଲା ବେଳେ ଅପରପଟେ ଠିକା ସଂସ୍ଥାକୁ ଲାଭବାନ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅନୁକମ୍ପା ଦେଖାଇ ପ୍ରକଳ୍ପ ମୂଲ୍ୟକୁ ବୃଦ୍ଧି କରି ଚାଲିଥିବା ଜଣାପଡିଛି । ହେଲେ  ଜାତୀୟ ପ୍ରକଳ୍ପର ନିର୍ମାଣକାର୍ଯ୍ୟ କାହିଁକି ଆଗେଇପାରୁ ନାହିଁ ସେ ସମ୍ପର୍କରେ ଠିକା ସଂସ୍ଥାକୁ ତାଗିଦ କରିବା ପରିବର୍ତେ ଅନୁକମ୍ପା ଦେଖାଇଚାଲିଛି । ମନ୍ଥର ଗତିରେ କାମ କରୁଥିବା ଠିକା ସଂସ୍ଥାକୁ ହଟାଇ ନୂତନ ଠିକା ସଂସ୍ଥାକୁ ନିଯୁକ୍ତ କରି ରାସ୍ତାର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଛି । ରାସ୍ତା ସମ୍ପୂର୍ଣ୍ଣ ହେଉ ନଥିବା ପ୍ରତିବାଦରେ ଆଗାମୀ ଡିସେମ୍ବର ୯ତାରିଖଠାରୁ ଆନେ୍ଦାଳନ ସହ ରାସ୍ତାରୋକ ପାଇଁ ସଚେତନ ନାଗରିକ ମଞ୍ଚ ଘୋଷଣା କରିଛି । ମଞ୍ଚ ପକ୍ଷରୁ ଯାଜପୁର ଜିଲାପାଳ ଓ ଏସପିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରାସ୍ତାରେ ଲୋକ ଦେଖାଣିଅାଁ ତାଳିପକା ମରାମତି କାର୍ଯ୍ୟ କରୁଥିବା ଦେଖାଯାଇଛି । ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଅତିମନ୍ଥର ଗତିରେ ଚାଲୁଥିବାରୁ ଏହାର ପୂର୍ଣ୍ଣାଙ୍ଗ କେବେ ହେବ ତାହା କେହି ଆକଳନ କରିପାରୁ ନାହାନ୍ତି । ଏହି ୩୯କିମି ରାସ୍ତାର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ନିଯୁକ୍ତ ଠିକାସଂସ୍ଥା ଏନ୍ଏଚ୍ଆଇ ସହିତ ଚୁକ୍ତି କରିଥିଲେ ମଧ୍ୟ ୫ ବର୍ଷ ପରେ ବି ଅଧା କାର୍ଯ୍ୟ ଶେଷ କରିନାହିଁ । ଅପରପକ୍ଷରେ ଏହି ରାସ୍ତାର କବାଟବନ୍ଧ ଠାରେ ବ୍ରାହ୍ମଣୀ ନଦୀରେ ନିର୍ମାଣ ହେବାକୁ ଥିବା ଦ୍ୱିତୀୟ ସେତୁ କାର୍ଯ୍ୟ ମଧ୍ୟ ଭୁଇଁରୁ ଉଠିପାରିନାହିଁ । ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକା ସଂସ୍ଥା ଗେମନ ଇଣ୍ଡିଆ ଲିମିଟେଡ଼ ଓ ଏମ୍ଏସ୍ଆଇଏଲ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବାରୁ ଦୀର୍ଘ ଦିନହେବ ଏହିରାସ୍ତା ମରଣ ଯନ୍ତା ପାଲଟିଛି । ଚଣ୍ଡିଖୋଲ-ଡ଼ୁବୁରୀ ମଧ୍ୟରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ଦୁର୍ଘଟଣା ଘଟି ମୁଣ୍ଡ ଗଡ଼ୁଛି । ତୁରନ୍ତ ରାଜପଥ କର୍ତ୍ତୃପକ୍ଷ ଠିକାଦାରକୁ ହଟାଇ ନୂତନ ଠିକାଦାର ନିଯୁକ୍ତ କରାଇ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବାକୁ ସାଧାରଣରେ ଦାବି ହେଉଛି ।