ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ହେଲେ ମିର୍ଦ୍ଧା ଟପ୍ପୋ
କେନ୍ଦୁଝର : ବରିଷ୍ଠ ଓଏଏସ୍ ଅଧିକାରୀ ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରୁଥିଲେ । ଏହି ନୂଆ ନିଯୁକ୍ତି ମିଳିଥିବା ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମିର୍ଦ୍ଧା ଟପ୍ପୋଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ । ୧୯୯୭ ମସିହାରେ ଓଏଏସ୍ ପାଇବା ପରେ ସେ ପ୍ରଥମେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ ଅତିରକ୍ତ ତହସିଲଦାର ଭାବେ ଚାକିରି ଆରମ୍ଭ କରିଥିଲେ । ସେଠାରେ ସେ ୨୦୦୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ୨୦୦୨ରେ ପଦୋନ୍ନତି ପାଇ ସୁନ୍ଦରଗଡ ତହସିଲଦାର ଭାବେ ୨୦୦୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ସେ କେନ୍ଦୁଝର ଜିଲ୍ଲା ପାଟଣାରେ ବିଡିଓ ଭାବେ ୨୦୦୪ରୁ ୨୦୦୬, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଡିଓ ଭାବେ ୨୦୦୬ରୁ ୨୦୧୧, ଝୁମ୍ପୁରା ବିଡିଓ ଭାବେ ୨୦୧୨ରୁ ୨୦୧୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେଠାରୁ ସେ ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲା ବଣେଇ ପିଏ ଆଇଟିଡିଏ ଭାବେ ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୧୭ରେ ସେଠାରୁ ବଦଳି ହେବା ପରେ ୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇପାରିଥିଲେ । ସେଠାରୁ ସେ ପଦୋନ୍ନତି ପାଇ ୨୦୧୯ରୁ ୨୦୨୩ ମସିହା ପର୍ଯ୍ୟନ୍ତ ବରଗଡ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ଓ ସେଠାରେ ପଦୋନ୍ନତି ପାଇ ସମ୍ବଲପୁରରେ ଅତିରିକ୍ତ କମିଶନର(ସେଟେଲମେଣ୍ଟ) ଭାବେ ୨୦୨୩ରୁ ୨୦୨୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେଠାରୁ ବଦଳି ହେବା ପରେ କେନ୍ଦୁଝର ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଭାବେ ଗତ ଫେବୃଆରି ୧୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ତାଙ୍କର ପଦୋନ୍ନତି ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ତାଙ୍କର ଏହି ନୂତନ ନିଯୁକ୍ତି ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ...