ମନମୋହନଙ୍କ ପରଲୋକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଦେଶର ସବୁଠୁ ଅଧିକ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରୁ ଅନ୍ୟତମ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନଙ୍କ ବିୟୋଗରେ ଭାରତ ଶୋକ ବ୍ୟକ୍ତ କରୁଛି । ମନମୋହନ ସିଂହ ଏକ ସାଧାରଣ ପରିବାରରୁ ଆସି ଜଣେ ସମ୍ମାନଜନକ ଅର୍ଥନୀତିଜ୍ଞ ହୋଇଥିଲେ। ଦେଶର ଅର୍ଥମନ୍ତ୍ରୀ ସମେତ ସରକାରଙ୍କ ବିଭିନ୍ନ ପଦପବୀରେ ସେ କାର୍ଯ୍ୟ କରିଛନ୍ତି । ଦେଶରେ ଆର୍ଥିକ ନୀତି ଉପରେ ସେ ଗଭୀର ଛାପ ଛାଡିଯାଇଛନ୍ତି । ସଂସଦରେ ତାଙ୍କ ଭାଷଣ ଅତ୍ୟନ୍ତ ଅନ୍ତଦୃଷ୍ଟିସଂପନ୍ନ ରହିଥିଲା । ପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ଜୀନରେ ଉନ୍ନତି ଆଣିବା ପାଇଁ ସେ ବ୍ୟାପକ ଉଦ୍ୟମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନମୋହନ ସିଂହଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସେହି ବିରଳ ରାଜନେତାଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଶିକ୍ଷା ଓ ପ୍ରଶାସନ ଜଗତକୁ ସହଜରେ ସମାନଭାବେ ବିସ୍ତାର କରିଥିଲେ । ବିଭିନ୍ନ ପଦପବୀରେ ରହି ଭାରତୀୟ ଅର୍ଥନୀତିରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଥିଲେ । ଦେଶ ପାଇଁ ସେ କରିଯାଇଥିବା ସେନା, ନିଷ୍କଳଙ୍କ ରାଜନୈତିକ ଜୀବନ ଓ ବିନମ୍ରତା ପାଇଁ ସେ ସର୍ବଦା ମନେ ରହିବେ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ରାଷ୍ଟ୍ରୀପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ସିଂହ ଦେଶର ଜଣେ ମହାନ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦ କ୍ଷତା ପାଇଁ ସାରା ବିଶ୍ୱରେ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଅର୍ଥମନ୍ତ୍ରୀ ଭାବେ ଦେଶରେ ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା ।
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୋକବାର୍ତ୍ତାରେ ଲେଖିଛନ୍ତି ସରଳତା ଓ ନମ୍ରତାର ପ୍ରତୀକ ଥିଲେ ସ୍ୱର୍ଗତ ମନମୋହନ ସିଂହ । ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ସେବା କରିଥିବା ସ୍ୱର୍ଗତ ସିଂହ ଜଣେ ବିରଳ ରାଜନେତା । ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଡକ୍ଟର ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି । ହାତରେ କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି । ଭାରତ ଓ ଅଷ୍ଠ୍ରେଲିଆ ମଧ୍ୟରେ ଏବେ ବକ୍ସିଂ ଡେ ଟେଷ୍ଟ ଚାଲିଛି । ଆଜି ସକାଳୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହାତରେ କଳା ପଟି ପିନ୍ଧି ଖେଳୁଛନ୍ତି।