ବ୍ରହ୍ମବରଦା +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଚାକଚକ୍ୟ ଗୃହ ଓ ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ବିଭିନ୍ନ ଶିକ୍ଷଣୀୟ ଉପକରଣ ମାନ ଯୋଗାଇ ଦେଉଛନ୍ତି । ତା ସହିତ ଗୁଣାତ୍ମକ ଶିକ୍ଷାପାଇଁ ଶୈକ୍ଷିକ ବାତାବରଣ ଓ ଉନ୍ନତ ଭିତିଭୂମି ଆଦି ଯୋଗାଇ ଦିଆଯାଇ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି । କିନ୍ତୁ ସରକାର ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ନିୟୋଜିତ କରିବା ଦିଗକୁ ପ୍ରାଥମିକତା ଦେବାର ଆବଶ୍ୟକତା ନାହିଁ କି? ଯାହାର ବ୍ୟତିକ୍ରମ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏଠାରେ ବିଭାଗର ଅଣଦେଖା ହେତୁ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଅଭାବ ଯୋଗୁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ବହୁ ମାତ୍ରାରେ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇଛି । ସମସ୍ୟା ଘେରରେ ଥିବା ଏହି ବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଅଭାବ ଦୂର କରିବାକୁ କୌଣସି ତତ୍ପରତା ଦେଖାଯାଉନି । ଯାହାଦ୍ୱାରା ଉକ୍ତ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମୁହଁ ଫେରାଇ ନେଉଥିବା ନଜର ଆସୁଛି । ଗତ +୨ ବାର୍ଷିକ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଥିବା ଏହି ବିଦ୍ୟାଳୟ ଏବେ କର୍ମଚାରୀ ଅଭାବରୁ ସଙ୍କଟ ଦେଇ ଗତି କରୁଛି । ତେବେ ଏହି +୨ ମହାବିଦ୍ୟାଳୟରେ ଚଳିତ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନକୁ ମିଶାଇ ମୋଟ ୧୧୭୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । କିନ୍ତୁ ବହୁଦିନ ହେବ ନିୟମିତ ଭାବେ ବିଦ୍ୟାଳୟର ବିଭିନ୍ନ ବିଭାଗରୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଅବସର ନେବା ଯୋଗୁ ବିଦ୍ୟଳୟରେ ଏବେ ମୋଟ ୧୯ ଗୋଟି ପଦବୀ ଫାଙ୍କା ପଡ଼ିଛି । ମାତ୍ର୧୦ ଜଣ ଅଧ୍ୟାପକରେ ଚାଲିଛି ଏହି +୨କଲେଜ । ଏହା ବ୍ୟତୀତ ଶିକ୍ଷାଦାନ ନିମନ୍ତେ ଏଠାରେ ମାତ୍ର ୮ଟି ଶ୍ରେଣୀଗୃହ ରହିଥିବାବେଳେ ଆହୁରି ୫ ରୁ ୬ଟି ବଡ ଶେଣୀଗୃହର ଆବଶ୍ୟକତା ରହିଛି । ସୂଚନା ଥାଉକି ୧୯୮୬ ମସିହାରେ ସ୍ଥାପିତ ବ୍ରହ୍ମବରଦା +୨ ମହାବିଦ୍ୟାଳୟକୁ ଗ୍ରାମବାସୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ପ୍ରତିଷ୍ଟିତ କରାଯାଇଥିଲା । ପରେ ବିଭିନ୍ନ ବିଭାଗ ପାଇଁ ମୋଟ ୪୬ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଥିଲା । କିନ୍ତୁ ବିଗତ କିଛି ବର୍ଷ ହେବ ଏହି ମହାବିଦ୍ୟାଳୟରୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଅବସର ନେଇ ଚାଲିଥିବା ବେଳେ ଆଉ ନୂତନ ନିଯୁକ୍ତି ହୋଇ ପାରୁନାହିଁ । ଯାହାଫଳରେ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ପଡ଼ିଛି କହିଲେ ଚଳେ । ୨୦୨୩/୨୪ ଶିକ୍ଷା ବର୍ଷରେ ଏଠାରେ ମୋଟ ୧୧୭୪ ଜଣ ଛାତ୍ରଛାତ୍ରୀ ମଧ୍ୟରୁ କଳା ବିଭାଗରେ ୭୪୮ଜଣ ବାଣିଜ୍ୟରେ ୨୧୦ ଓ ବିଜ୍ଞାନ ବିଭାଗରେ ୨୧୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ମାତ୍ର ୧୦ଜଣ ଅଧ୍ୟାପକ ଅଧ୍ୟାପିକା ଏତେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି । ତେବେ ଏଠାରେ ମୋଟ ୩୪ ଜଣ ଶିକ୍ଷା କର୍ମଚାରୀଙ୍କ ଆବଶ୍ୟକ ଥିବା ବେଳେ ମାତ୍ର ୧୫ ଜଣ ଏହି କାର୍ଯ୍ୟକୁ ତୁଲାଉଛନ୍ତି । ଅର୍ଥନୀତି ବିଭାଗରେ ୩ ଜଣ ଅଧ୍ୟାପକଙ୍କ ସ୍ଥାନରେ ରହିଛନ୍ତି ମାତ୍ର ଜଣେ ହିଁ ଅଧ୍ୟାପକ । ସେହିପରି ଓଡ଼ିଆ ବିଭାଗର ୨ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ ଅଧ୍ୟାପକରେ ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି ଇଂରାଜୀରେ ୩ ଜଣ ଅଧ୍ୟାପକ ସ୍ଥାନରେ ରହିଛିନ୍ତି ରହିଛନ୍ତି ୨ ଜଣ । ସେଥିମଧ୍ୟରୁ ଜଣେ ଅଧ୍ୟାପକ ଆସନ୍ତାବର୍ଷ ଅବସର ଗ୍ରହଣ କରିବେ । ସେହିପରି ରାଜନୀତି ବିଜ୍ଞାନ ଓ ଇତିହାସ ବିଭାଗର ୨ଜଣ ଅଧ୍ୟାପକ ବଦଳରେ ମାତ୍ର ଜଣେ ଲେଖାଏଁ ଅଧ୍ୟାପକ ରହିଛନ୍ତି । ତା ଛଡା ବ୍ରହ୍ମବରଦା ଏକ ସଂଖ୍ୟାଲଘୁ ଅଞ୍ଚଳ ହୋଇଥିବାରୁ ଉକ୍ତ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଧୁ ବିଷୟରେ ୭୦ ରୁ ୮୦ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ପଢୁଥିବା ବେଳେ ଏହି ବିଷୟରେ ଜଣେ ହୋଲେ ଅଧ୍ୟାପକ ନାହାନ୍ତି ଯାହା ଅତ୍ୟନ୍ତ ପରିତାପର ବିଷୟ । ତା ଛଡା ବିଦ୍ୟାଳୟ କ୍ଷେତ୍ରରେ କ୍ରୀଡ଼ାକୁ ଗୁରୁତ୍ୱ ଦେଉଥିବା ସରକାର ଏଠାରେ କ୍ରୀଡ଼ା ଅଧ୍ୟାପକଙ୍କ ଅବସରପରେ ଉକ୍ତ ପଦବୀ ମଧ୍ୟ ବହୁଦିନ ହେବ ଫାଙ୍କା ପଡ଼ିଛି । ସେହିପରି ଲାଇବ୍ରେରିରେ ମଧ୍ୟ କୌଣସି କର୍ମଚାରୀ ନାହାନ୍ତି । ଅଫିସ କାର୍ଯ୍ୟ ପାଇଁ ୪ ଜଣ ହେଡ କ୍ଲର୍କଙ୍କ ଆବଶ୍ୟକ ସ୍ଥଳରେ ୨ଅଛନ୍ତି ମାତ୍ର ୨ଜଣ । ୫ ଜଣ ଚତୁର୍ଥ ଶ୍ରେଶୀ କର୍ମଚାରୀ ବଦଳରେ ରହିଛନ୍ତି କେବଳ ୨ ଜଣ । ଛାତ୍ରୀମାନଙ୍କ ପାଇଁ ଜଣେ ମହିଳା ପରିଚାଳକ ବ୍ୟତିତ ଜଣେ ସୁଇପରଙ୍କ ପଦବୀ ମଧ୍ୟ ଫାଙ୍କା ପଡ଼ିଛି । ଏହିପରି ମୋଟ ୧୯ ଜଣ ଅଧ୍ୟାପକଙ୍କ ସହ କର୍ମଚାରୀଙ୍କ ଅଭାବ ଯୋଗୁଁ ଶିକ୍ଷାଦାନ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ତା ଛଡା ଛାତ୍ର ମାନଙ୍କ ପାଇଁ କମନ ରୁମ, ସ୍ୱତନ୍ତ୍ର୍ୟ ଲାଇବ୍ରେରୀ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖେଳ ପଡିଆ କି ଆବଶ୍ୟକ ପରିମାଣର ଖେଳ ସଂରଞ୍ଜାମ ମଧ୍ୟ ନାହିଁ । ବିଜ୍ଞାନ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ଗବେଷଣା ଯନ୍ତ୍ରାଂଶ ଆବଶ୍ୟକ ରହିଛି । ଛାତ୍ରୀ ମାନଙ୍କ ପାଇଁ ସ୍ୱଳ୍ପ ପରିମାଣର ଶୌଚାଳୟ ଥିବା ବେଳେ ଛାତ୍ର ମାନଙ୍କ ପାଇଁ କୈାଣସି ଶୌଚାଳୟ ନାହିଁ । ଏସବୁ ଆବଶ୍ୟକ ପୁରଣ ହେଲେ ଏହି ବିଦ୍ୟାଳୟ ବହୁ ଆଗକୁ ଯାଇ ପାରନ୍ତା ବୋଲି ଗ୍ରାମର ମୁରବି ବିପିନ ବିହାରୀ ଦେଓ, ଶିକ୍ଷାବିତ ଆଲ୍ଳାଉଦ୍ଦିନ ଖାଁ, ପଞ୍ଚାନନ ରାଉତ, ଶିଶୁକବି ନିମାଇଁ ଚରଣ ଦାସ, ସମାଜ ସେବୀ ପ୍ରଦୀପ ଦାସ ଆଦି ମତବ୍ୟକ୍ତ କରିଛନ୍ତି । ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ କୁହନ୍ତି ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅତୀତରେ ଅନେକ ପ୍ରତିଭା ତିଆରି କରି ବିଦ୍ୟାଳୟର ନାମକୁ ଉଚ୍ଚା କରିଛି । ଏବେ ଏହି ସବୁ ସମସ୍ୟା ବହୁ ଅସୁବିଧାର ପକାଉଥିବା ବେଳେ ସରକାର ତୁରନ୍ତ ଶ୍ରେଣୀଗୃହ , ଅଧ୍ୟାପକ, କର୍ମଚାରୀ ଓ ଖେଳ ପଡିଆ ଯୋଗାଇ ଦେବାକୁ କହିଛନ୍ତି ।