ଦିଅଁଙ୍କ ପାଇଁ ପଠାଗଲା ବାସୁଙ୍ଗା ପାଟ

ଭୁବନେଶ୍ୱର : ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ପତାକା ଦେଖାଇ ପ୍ରେରଣ କରିଥିଲେ । 
ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଏକ ପବିତ୍ର ଓ ଅତ୍ୟନ୍ତ ଶକ୍ତିଶାଳୀ ରେଶମ ଡୋର; ଯାହା ଚତୁର୍ଦ୍ଧାମୁରତୀଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ । ୧୯୮୧ରୁ ସେରିଫେଡ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଏହି ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ । ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରି ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ହୋଇଥାଏ । ଏହାକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜି୍ୟକ ବ୍ୟବହାର କରାଯାଇନଥାଏ । କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ନିଦେ୍ର୍ଦଶକ ପ୍ରେମଚନ୍ଦ୍ର ଚୌଧାରୀ, ହସ୍ତଶିଳ୍ପ ନିଦେ୍ର୍ଦଶିକା ପ୍ରଣତୀ ଛୋଟରାୟ, ଯୁଗ୍ମ ଶାସନ ସଚିବ ମଧୁମିତା ରଥ, ସେରିଫେଡ ଅଧ୍ୟକ୍ଷ ଭାଗୀରଥି ନନ୍ଦଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।