କେନ୍ଦୁଝର ଲୋକସଭା ୧୯୫୭ରୁ ଏଯାଏଁ

ଭୁବନେଶ୍ୱର :ସାଧାରଣ ନିର୍ବାଚନ ପାଖେଇ ଆସୁଛି । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରିଛୁ "ଆମ ନିର୍ବାଚନମଣ୍ଡଳୀ' । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ସଂକ୍ରାନ୍ତୀୟ ତଥ୍ୟର ଅବତାରଣା କରାଯିବ । ଏଥର ଆମେ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀ ସଂକ୍ରାନ୍ତରେ ଆଲୋଚନା କରିବା ।
ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ଓ କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ୧୯୫୭ରେ କେନ୍ଦୁଝରର ପ୍ରଥମ ସାଂସଦ ହୋଇଥିଲେ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ । ୧୯୬୨ରେ ବି ସେ ପୁଣିଥରେ ସାଂସଦ ହେବାର ସୁଯୋଗ ପାଇଥିଲେ । ୧୯୬୭ରେ ସାଂସଦ ହୋଇଥିଲେ ସ୍ୱତନ୍ତ୍ର ପାର୍ଟିର ନେତା ଗୁରୁଚରଣ ନାଏକ । ୧୯୭୧ରେ କଂଗ୍ରେସ ନେତା କୁମର ମାଝୀ ସାଂସଦ ହୋଇଥିବାବେଳେ ୧୯୭୭ରେ ସାଂସଦ ହୋଇଥିଲେ ଗୋବିନ୍ଦ ମୁଣ୍ଡା ।
୧୯୮୦ ଦଶକରେ କେନ୍ଦୁଝର ରାଜନୀତିରେ ହରିହର ସୋରେନ ବେଶ ପ୍ରଭାବ ବିସ୍ତାର କରିଥିଲେ । କଂଗ୍ରେସ ଟିକେଟରେ ୧୯୮୦ ଓ ୧୯୮୪ରେ ସେ ବିଜୟ ଲାଭ କରିଥିଲେ । ୧୯୯୦ ଦଶକରେ କିନ୍ତୁ ଗୋବିନ୍ଦ୍ର ଚନ୍ଦ୍ର ମୁଣ୍ଡାଙ୍କର ପତିଆରା ଦେଖିବାକୁ ମିଳିଥିଲା । ୧୯୮୯ ଓ ୧୯୯୧ ନିର୍ବାଚନରେ ଲଗାତର ବିଜୟୀ ହୋଇ ସେ ସାଂସଦ ହୋଇଥିଲେ । ୧୯୯୬ରେ ସାଂସଦ ହୋଇଥିଲେ କଂଗ୍ରେସ ନେତା ମାଧବ ସର୍ଦ୍ଦାର । ୧୯୯୮ରେ କିନ୍ତୁ କେନ୍ଦୁଝର ରାଜନୀତି ନୂଆ ମୋଡ଼ ନେଇଥିଲା । ବିଜେଡ଼ି ସହ ମେଣ୍ଟ ଯୋଗୁଁ ବିଜେପି ଦବଦବା ଜାହିର କରିଥିଲା । ୧୯୯୮ରେ ଉପେନ୍ଦ୍ର ନାଥ ନାୟକ ବିଜେପିରୁ ପ୍ରଥମ ସାଂସଦ ହୋଇଥିଲେ । ଏହାପରେ ଅନନ୍ତ ନାୟକ କେନ୍ଦୁଝର ବିଜେପି ରାଜନୀତିର ମଙ୍ଗ ଧରିଥିଲେ । ୧୯୯୯ ଓ ୨୦୦୪ରେ ସେ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ । ମାତ୍ର ୩୦ ବର୍ଷ ବୟସରେ ସେ ଲୋକସଭାକୁ ଯାଇଥିଲେ ।
୨୦୦୯ ନିର୍ବାଚନ ବେଳକୁ ବିଜେଡ଼ି ଓ ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା । ଫଳରେ ବିଜେଡ଼ି ଓ ବିଜେପି ମଇଦାନରେ ମୁହାଁମୁହିଁ ହୋଇଥିଲେ । ୨୦୦୯ରୁ ଏଯାବତ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ି ହିଁ ଜିତିଆସୁଛି । ୨୦୦୯ରେ ଯଶୋବନ୍ତ ସିଂ ଲାଗୁରୀ ସାଂସଦ ହୋଇଥିବାବେଳେ ୨୦୧୪ରେ ସାଂସଦ ହୋଇଥିଲେ ଶକୁନ୍ତଳା ଲାଗୁରୀ । ସେହିପରି ୨୦୧୯ରେ ଦେଶର ସର୍ବକନିଷ୍ଠ ସାଂସଦ ହେବାର ସୌଭାଗ୍ୟ ଲାଭ କରିଥିଲେ ଚନ୍ଦ୍ରାଣୀ ମୁର୍ମୁ । ବିଜେଡ଼ି ହାଟ୍ରିକ ବିଜୟ ହାସଲ କରିଥିଲେ ବି ସବୁଥର ପ୍ରାର୍ଥୀ ବଦଳାଉଥିବା ଦେଖିବାକୁ ମିଳିଛି । ଏକଦା କଂଗ୍ରେସ ବହୁବାର କେନ୍ଦୁଝର ଲୋକସଭା ଆସନକୁ ହାତମୁଠାରେ ରଖିଥିବାବେଳେ ୧୯୯୦ ଦଶକରୁ ଆଉ କଂଗ୍ରେସ ଜିତିପାରୁନାହିଁ ।