ବିଜେପି ସରକାରରେ ଅପରାଧି ଭୟଶୂନ୍ୟ : ବିଜେଡି

 ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ମହିଳା ଓ ଶିଶୁମାନେ ଅସୁରକ୍ଷିତ । ଏଭଳି ଅଭିଯୋଗ କରି ଆଜି ବିଜେଡି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ, ବରିଷ୍ଠ ସାଧାରଣ ସମ୍ପାଦିକା ରାଜଶ୍ରୀ ମଲ୍ଲିକ, ସାଧାରଣ ସମ୍ପାଦିକା ଶର୍ମିଷ୍ଠା ସେଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗତ ବର୍ଷକ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇଛି ତାହା ବଖାଣିଥିଲେ । 
ବିଜେପି ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ, ରାଜ୍ୟକୁ ସୁଶାସନ ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । କେବଳ ଲୋକଙ୍କୁ ଭ୍ରମିତ କରିବା ଲକ୍ଷ୍ୟରେ ପ୍ରଚାର ପ୍ରସାର କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ଆସିବେ ଆଉ ଯିବେ, କିନ୍ତୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଯେଉଁଠିକୁ ସେଇଠି ରହିବ । ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ବଢ଼ି ବଢ଼ି ଚାଲି ଥିବା ବେଳେ ରାଜ୍ୟ ସରକାର ମିଛ ସଫଳତାର ପ୍ରଚାରରେ ମାତିଛନ୍ତି ବୋଲି କହି ବିଜେପିକୁ ସମାଲୋଚନା କରିଥିଲା ବିଜେଡି । ଅପରାଧୀମାନେ ଭୟଶୂନ୍ୟ ହୋଇପଡିଛନ୍ତି । ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ନିଦରୁ ଉଠନ୍ତୁ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।