ଝାରସୁଗୁଡ଼ାରେ ପୁଣି ଥରେ ହେବ ଇଭିଏମ୍ ଯାଞ୍ଚ : ନିର୍ବାଚନ କମିଶନର

ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ।
ଚଳିତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ହାରର ସମ୍ମୁଖୀନ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ମାତ୍ର ନିଜ ହାରକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଦୀପାଳି ଦାସ ପୁଣି ଥରେ ଇଭିଏମ୍ ଯାଞ୍ଚ ପାଇଁ ଆବେଦନ କରିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। ଏଥିନିମନ୍ତେ ନିର୍ବାଚନ କମିଶନର ସହମତି ପ୍ରକାଶ କରିଥିବା ବେଳେ ଆସନ୍ତା ଜୁଲାଇ ୧୯ ପରେ ତାରିଖ ନିର୍ଦ୍ଧାରିତ ହେବ ବୋଲି ଜଣାଯାଇଛି।
ନିୟମ ମୁତାବକ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃ ଗଣତି କରାଯିବ। ଏନେଇ ଦୀପାଳି ଦାସ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ। ଯାହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର।