ଖାଦ୍ୟ ସାମଗ୍ରୀ ନ ଦେବାରୁ ଭାଇକୁ ଆକ୍ରମଣ ; ସାନ ଭାଇ ଗିରଫ

ଭୁବନେଶ୍ୱର, ୦୬ା୬ : ଦୋକାନରେ ଖାଦ୍ୟ ସାମଗ୍ରୀ ଦେବାରେ ବିଳମ୍ବ ହେବାରୁ ବଡ଼ ଭାଇକୁ ମରଣାନ୍ତକ ଆକ୍ରମଣ କଲା ସାନ ଭାଇ । ଏନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁକରି ଅଭିଯୁକ୍ତ ଭାଇକୁ ଗିରଫ କଲା ଇନଫୋସିଟି ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲା ମଙ୍ଗଳପୁରର ନିରାକାର ନାୟକ । ଏଠାରେ ବଡ଼ ଭାଇ ରହୁଥିବା ପ୍ରଶାନ୍ତି ବିହାରରେ ରହୁଥିଲେ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ପ୍ରଭାକର ନାୟକ ଗତ ୩୦ ବର୍ଷ ହେବ ଇନଫୋସିଟି ଥାନା ଅଧିନ ପ୍ରସାନ୍ତି ବିହାରରେ ରହିଆସୁଛନ୍ତି । ଏହାସହ ନିଜ ଘରେ ଏକ ଦୋକାନ ମଧ୍ୟ କରିଛନ୍ତି । ଅଭିଯୁକ୍ତ ନିରାକାର ନାୟକ ହେଉଛନ୍ତି ଅଭିଯୋଗକାରୀଙ୍କ ସାନ ଭାଇ । ସେ ନିଜ ଗ୍ରାମ ଯାଜପୁର ଜିଲ୍ଲା ପାଟପୁରରେ ରହୁଥିଲେ । ଅଭିଯୁକ୍ତଙ୍କର ବିବାହ ପରେ ତାଙ୍କର କୌଣସି ରୋଜଗାର ପନ୍ଥା ନଥିବାରୁ ଗତ ୭ ବର୍ଷ ପୂର୍ବରୁ ଅଭିଯୋଗକାରୀ ସେମାନଙ୍କୁ ଭୁବନେଶ୍ୱରକୁ ଆଣି ନିଜ ଘରେ ଆଶ୍ରୟ ଦେଇଥିଲେ । ସେବେଠାରୁ ଅଭିଯୁକ୍ତ ତାଙ୍କ ଭାଇଙ୍କ ଘରେ ରହୁଥିଲେ ଏବଂ ସେ କିଟ୍ ସାଇ ମନ୍ଦିର ନିକଟରେ ଏକ ପାନ ଦୋକାନ ଚଳାଇଥିଲେ । ଗତ ୧ ବର୍ଷ ହେବ ଅଭିଯୁକ୍ତ ଜଣକ ତାଙ୍କ ବଡ଼ ଭାଇଙ୍କୁ ତାଙ୍କ ଘରର କିଛି ଅଂଶ ଦେବାକୁ ଦାବି କରିଆସୁଥିଲେ । ସେବେଠାରୁ ନିରାକାର ତାଙ୍କ ବଡ଼ ଭାଇଙ୍କ ସହ ଝଗଡା କରିଆସୁଥିଲେ । ଗତ ମଇ ମାସ ୩୧ ତାରିଖ ଦିନ ପ୍ରଭାକର ତାଙ୍କର ଦୋକାନରେ ଥିବା ବେଳେ ନିରାକାର ସେଠାକୁ ଆସି ତାଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ କହିଥିଲେ । ହେଲେ ପ୍ରଭାକର ଅନ୍ୟ ଗ୍ରାହକ ମାନଙ୍କୁ ସାମଗ୍ରୀ ଦେଉଥିବାରୁ ସେ ନିରାକାରଙ୍କୁ ସାମଗ୍ରୀ ଦେବାରେ ଟିକେ ବିଳମ୍ବ ହୋଇଥିଲା । ଏଥିରେ ନିରାକାର ରାଗିଯାଇ ପ୍ରଭାକରଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଏକ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିଲେ ପ୍ରଭାକର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ପରେ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।