ମୋ-ବସ ଷ୍ଟାଣ୍ଡରୁ ଯାତ୍ରୀଙ୍କ ମୋବାଇଲ ଲୁଟ୍ ; ଲୁଟେରା ଗିରଫ

ଭୁବନେଶ୍ୱର, ୧୮ା୪ : ମାଷ୍ଟାର କ୍ୟାଣ୍ଟିନ୍ ମୋ-ବସ ଷ୍ଟାଣ୍ଡର ଏକ ଗଛ ମୁଳେ ଯାତ୍ରୀ ଜଣଙ୍କ ବିଶ୍ରାମ ନେଉଥିବା ବେଳେ ପକେଟରୁ ମୋବାଇଲ ଲୁଟ୍ । ଘଟଣା ଦେଖି ଲୋକେ ଲୁଟେରାକୁ ଗୋଡାଇ କାବୁ କରି ମାଡ଼ ମାରିବା ବେଳେ ଲୋକଙ୍କ କବଳରୁ ଫେରାର ହୋଇଗଲା ଲୁଟେରା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଲୁଟେରାକୁ ଗିରଫ କରିବା ସହ ତାଠାରୁ ୩ଟି ଚୋରା ମୋବାଇଲ ଜବତ କରିଛି । ଗିରଫ ଲୁଟେରା ହେଲା, ଝାରଖଣ୍ଡ ରାଜ୍ୟର ଏମଡ଼ି ଫାରୁକ୍ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଗନ୍ନାଥ ବିଶ୍ୱାଳ ନାମକ ଯାତ୍ରୀ ଗତ ୧୭ ତାରିଖ ସକାଳେ ମାଷ୍ଟର କ୍ୟାଣ୍ଟିନ୍ ମୋ-ବସ ଷ୍ଟାଣ୍ଡ ରହଣି ସ୍ଥଳ ନିକଟସ୍ଥ ଏକ ଗଛ ମୂଳେ ବିଶ୍ରାମ ନେଉଥିଲେ । ଏହି ସମୟରେ ଜଣେ ଲୁଟେରା ତାଙ୍କ ପକେଟରୁ କୌଶଳ କ୍ରମେ ଚୋରି କରି ନେଇ ଫେରାର ହୋଇଯାଉଥିଲା । ଏହି ସମୟରେ କିଛି ସ୍ଥାନୀୟ ଲୋକେ ଘଟଣା ଦେଖି ଲୁଟେରାକୁ ପିଛା କରି କାବୁ କରି ବହେ ଛେଚିଥିଲେ । ହେଲେ ସେହି ସମୟରେ ଲୁଟେରା ଜଣଙ୍କ ସେମାନଙ୍କ କବଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ଏବଂ ରାଜମହଲ ଛକରେ ଜଣେ ଅଚିହ୍ନା ଲୋକକୁ ସସ୍ଥାରେ ମୋବାଇଟିକୁ ବିକ୍ରି କରିବାକୁ ଚେଷ୍ଟା ଚଳାଇଥିଲା । ଏନେଇ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁକରି ରାଜମହଲ ଛକରେ ଲାଗିଥିବା ସିସିଟିଭ ଫୁଟେଜକୁ ଯାଞ୍ଚ୍ କରି ଲୁଟେରାକୁ କାବୁ କରିଥିଲା । ପରେ ତାଠାରୁ ୩ଟି ଚୋରା ମୋବାଇଲ ଜବତ କରାଯାଇଛି ।