ଜୀବନ ଅନୁଭୂତିର ସମାହାର
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନ ଅନୁଭୂତିର ସମାହାରକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଘଟଣା ପ୍ରବାହ ତଥା ଅନୁଭୂତିର ସମାହାର । ମନୁଷ୍ୟ ନିଜ ଠାରେ ଘଟୁଥିବା ଘଟଣାକୁ ନେଇ ପ୍ରତ୍ୟକ୍ଷ ଅନୁଭୂତି ପାଏ । ଅନ୍ୟଠାରେ ଘଟୁଥିବା ଘଟଣାକୁ ଦେଖି ପରୋକ୍ଷ ଅନୁଭୂତି ପାଏ । ଏହି ଦୁଇଟିଯାକ ମନୁଷ୍ୟର ଜୀବନ ପାଇଁ ଆବଶ୍ୟକ । ପ୍ରତ୍ୟକ୍ଷ ଅନୁଭୂତି ସହିତ ପରୋକ୍ଷ ଅନୁଭୂତିର ସମାହାରରେ ମଣିଷର ଜୀବନ ସୁନ୍ଦର ହୁଏ ଏବଂ ବ୍ୟକ୍ତିତ୍ୱ ବଳିଷ୍ଠ ତଥା ଦୃଢ଼ ହୁଏ ।
ସମାଜ ଭିତରେ ବିଭିନ୍ନ ଲୋକଙ୍କ ଭିତରେ ବିଭିନ୍ନ କଥା ଅହରହ ଘଟି ଚାଲିଛି । ସେସବୁକୁ ଲକ୍ଷ୍ୟ କରିବାର ଆବଶ୍ୟକତା ରହିଛି । ଯଦି ସାମାଜିକ ଘଟଣା ପ୍ରବାହକୁ ଦୃଷ୍ଟି ଦିଆଯିବ ନାହିଁ ତେବେ ଅନ୍ୟଠାରେ ଘଟୁଥିବା ଘଟଣାର ପୁନରାବୃତ୍ତି ନିଜ ଠାରେ ହୋଇଯାଇପାରେ । କେହି ଜଣେ ଦ୍ରୁତ ଗତିରେ ଗାଡ଼ି ଚଳାଉଛି । ଦ୍ରୁତ ଗତିରେ ଗାଡ଼ି ଚଳାଇବା ସବୁବେଳେ ସେହି ବ୍ୟକ୍ତିଙ୍କର ଏକ ଗୁଣ । ମାତ୍ର ଏହି ଦ୍ରୁତ ଗତିର ଗାଡ଼ି ଚାଳନା ହୁଏତ କେତେବେଳେ ଏକ ଦୁର୍ଘଟଣାର କାରଣ ପାଲଟିବ । ଏହି ଘଟଣାକୁ ଲକ୍ଷ୍ୟ କରି ଅନ୍ୟମାନେ ଶିକ୍ଷାଲାଭ କରିବା ଉଚିତ୍ । ଯଦି ଜଣେ ଦ୍ରୁତ ଗତିରେ ଗାଡ଼ି ଚଳାଉଛି, ତାହା ବିପଦ ବୋଲି ଅନ୍ୟମାନେ ଅଭିଜ୍ଞତାରୁ ଜାଣିବେ । ସବୁବେଳେ ସମସ୍ତେ ନିଜ ଅଭିଜ୍ଞତାରୁ ଶିଖନ୍ତି ନାହିଁ । ଅନ୍ୟକୁ ଲକ୍ଷ୍ୟ କରି କେତେବେଳେ ଶିଖିବାକୁ ପଡ଼େ ଆଉ କେତେବେଳେ ଘଟଣା ପ୍ରବାହକୁ ଆକଳନ କରି ଶିକ୍ଷାଲାଭ କରିବାକୁ ପଡ଼େ । ନଈବଢି ଆସୁଛି ଅର୍ଥ ଅନେକ କିଛି ଅସୁବିଧା ତାହା ସହିତ ଆସୁଛି । ତେଣୁ ସମ୍ଭାବ୍ୟ ଅସୁବିଧା ଗୁଡ଼ିକ ପ୍ରତି ସତର୍କ ହୋଇଯିବା ଆବଶ୍ୟକ । ଏ ପ୍ରକାରର ଅଭିଜ୍ଞତାଗୁଡ଼ିକ ହେଉଛି ଦୂରଦୃଷ୍ଟିସମ୍ପର୍ଣ୍ଣ ଅଭିଜ୍ଞତା । ଯଦି ଜଣେ ଦୂରଦୃଷ୍ଟିସମ୍ପନ୍ନ ହେଉନାହିଁ, ନିଶ୍ଚିତ ରୂପେ ଅଭିଜ୍ଞତା ଥାଇ ମଧ୍ୟ କିଛି ନା କିଛି ଅସୁବିଧା, ସମସ୍ୟା କିମ୍ବା ଦୁର୍ଘଟଣା ଘଟିଯାଇପାରେ । ଅଭିଜ୍ଞତା ଗୁଡ଼ିକ ସାଧାରଣତଃ ପ୍ରତ୍ୟକ୍ଷ ଅନୁଭୂତି ଓ ପରୋକ୍ଷ ଅନୁଭୂତି ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଏ । ନିଜ ଇନ୍ଦ୍ରୀୟଗତ ଅନୁଭୂତି ହେଉଛି ପ୍ରତ୍ୟକ୍ଷ ଅନୁଭୂତି । କୌଣସି ପୁସ୍ତକ ପଢ଼ି କିମ୍ବା ଅନ୍ୟ କାହାଠାରୁ ଗଳ୍ପ ଆକାରରେ ଶୁଣି ଲାଭ କରାଯାଉଥିବା ଜ୍ଞାନ ବା ଅନୁଭୂତି ହେଉଛି ପରୋକ୍ଷ ଅନୁଭୂତି । ଏହି ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତିକୁ ନେଇ ଜୀବନକୁ ସୁଖମୟ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।