ମଣ୍ଡି ଉଦ୍ଘାଟନକୁ ସପ୍ତାହେ ବିତିଲା: ଉଠୁନି ଧାନ, ଚାଷୀ ଅସନ୍ତୋଷ
କୋଷାଗୁମୁଡା : ଚଳିତ ବର୍ଷ ଖରିଫ ଧାନ ମଣ୍ଡି ଉଦଘାଟନକୁ ଆଜକୁ ସମାନ ସପ୍ତାହେ ବିତିଲା ହେଲେ କେଜିଏ ଧାନ ବିକି ପାରିନାହାନ୍ତି ଚାଷୀ । ଧାନ ଅମଳ କରି ବିକ୍ରି ପାଇଁ ମୋବାଇଲ ମେସେଜଟିଏ ପାଇ ଆଶା ଓ ଆଶଙ୍କାରେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଧାନଚାଷୀ । ଭାଗ୍ୟରେ ବୋଧେ ଆଉ ସୁଖ ବୋଲି ନାହି ଚାଷୀଙ୍କ । ଚଳିତ ବର୍ଷ ପ୍ରଥମ କରି କୁଇଣ୍ଟାଲ ପିଛା ଧାନ ୨୩୦୦ଟଙ୍କା ସହ ୮୦୦ଟଙ୍କା ଇନପୁଟ ସହାୟତା ଯୋଗାଇ ସରକାର ନିଷ୍ପତ୍ତି ନେଇଥିବା ବେଳେ ଉଦଘାଟନ କରିଥିବା ମଣ୍ଡି ମିଲ ମାଲିକଙ୍କ ସହ ଚୁକ୍ତି ହୋଇନଥିବା ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ଚାଷୀ ଧାନ ବିକ୍ରି କରିବା ପାଇଁ ବହୁ ଅସୁବିଧା ଭୋଗିବା ଦେଖୁବାକୁ ମିଳିଛି । ଧାନ ଶୀତକାକରରେ ପଡି ରହି ବିକ୍ରି ହୋଇପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚଳିତ ଖରିଫ ଧାନମଣ୍ଡିରେ କୋଷାଗୁମୁଡା ଲ୍ୟାମ୍ପସରେ ଅଧୀନରେ ମୋଟ ୧୨୫୮ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ କୋଡିଙ୍ଗା ଲ୍ୟାମ୍ପସ ୧୪୯୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ବ୍ଲକର ବଡ-ଆମଡା ମଣ୍ଡିରେ ଚଳିତ ମାସ ୧୦ତାରିଖରେ କ୍ରୟ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ୬୯ ଚାଷୀଙ୍କ ୪୮୦୦ବସ୍ତା ଧାନ ପଡିରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଧାନ କ୍ରୟ କରାଯାଇପାରିନାହି । ସେହିପରି କୋଡିଙ୍ଗା, କୋଷାଗୁମୁଡା, ମୋଦେଇଗାଁ ମଣ୍ଡିରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଧାନର ମାନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ପାଇଁ ଲ୍ୟାମ୍ପସ ଓ ମଣ୍ଡିର ଅନୁପାତରେ ମେସିନ ନଥିବା ହେତୁ ଚାଷୀ କିଭଳି ବିକ୍ରି ଓ ମାନ ଯାଞ୍ଚ କରାଇବେ ସେନେଇ ଚାଷୀ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଅନେକ ଚାଷୀ ମୋବାଇଲ ମାଧ୍ୟମରେ ମେସେଜ ଦେଖି ମଣ୍ଡିରେ ଧାନ ପକାଇବାକୁ ମନସ୍ଥ କରିଥିଲେ ମଧ୍ୟ ମଣ୍ଡିର ଅଚଳାବସ୍ଥା ଲାଗି ଧାନ ପକାଇବା ପରିବର୍ତ୍ତେ ଛତିଶଗଡ ରାଜ୍ୟକୁ ଗଳାବାଟ ଦେଇ ଶାଗମାଛ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ନିୟନ୍ତ୍ରିତ ବଜାର କମିଟି, ଲ୍ୟାମ୍ପସ କର୍ତୁପକ୍ଷ, ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ତାଳମେଳ ନଥିବା ହେତୁ ଚଳିତ ବର୍ଷ ଚାଷୀମାନେ ଅସୁବିଧା ଭୋଗୁଥୁବା ସାଧାରଣରେ ଚର୍ଚା ହେଉଥିବା ବେଳେ ଚାଷୀ ପଞ୍ଜୀକରଣ କ୍ରମିକ ସଂଖ୍ୟା ଅନୁଯାଇ ଧାନ ବିକ୍ରି ପାଇଁ ବ୍ୟବସ୍ଥା କରାଯିବା ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଠୀ ଦେବାକୁ ଚାଷୀ ସଂଘ ଦାବି କରିଛି ।