ଜାଲିଆତି କରି ନେଇଗଲେ ଟଙ୍କା ବାରଦୁଆର ହେଉଛନ୍ତି ଚାଷୀ ନଗେଶ

 ଯାଜପୁର : ମାସ ପରେ ମାସ ବିତିଗଲା । ହେଲେ ସମବାୟ ସମିତିରେ ଧାନ ଦେଇ ପ୍ରାପ୍ୟ ପାଇଲେନି ଚାଷୀ । ସମିତିରେ ସମସ୍ତ କାଗଜପତ୍ର ପଇଠ କରିଥିଲେ ହେଁ ବ୍ୟାଙ୍କକୁ ଆସିଲାନି ଧାନ ବିକ୍ରି ଟଙ୍କା । ସମବାୟ ସମିତିରୁ ବ୍ୟାଙ୍କ, ବ୍ୟାଙ୍କରୁ ସମବାୟ ସମିତି ଦୈାଡ଼ି ଦୌଡି ନିରାଶ ହେବା ପରେ ଚାଷୀଙ୍କ ତାଙ୍କ ନାମରେ ଜାଲିଆତି କରି ଧାନ ବିକାଟଙ୍କା ହଡପ କରି ଦିଆଯାଇଥିବା ଜାଣିବାକୁ ପାଇଲେ । ଏନେଇ ଚାଷୀ ଦାନଗଦୀ ବ୍ଲକ ରଣାଗୁଣ୍ଡି ଗ୍ରାମର ନଗେଶ ଜେନା ଥାନା, ଏଆରସିଏସ୍, ଏସ୍ପି, ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ । ସବୁଠୁ ମିଳିଲା ପ୍ରତିଶ୍ରୁତି । ହେଲେ ମିଳିଲାନି ନ୍ୟାୟ । ଶେଷରେ ଚାଷୀ ନିଜ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ସମବାୟ ମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କଲେ । ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ରାଜ୍ୟ କୋ-ଅପରେଟିଭ୍ ସୋସାଇଟ୍ ରେଜିଷ୍ଟାରଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଲେ । ହେଲେ ମନ୍ତ୍ରୀଙ୍କ ନିଦେ୍ର୍ଦଶ ନିଦେ୍ର୍ଦଶରେ ରହିଗଲା । ଗୋଟେ ପଟେ ନ୍ୟାୟପାଇବାକୁ ଚାଷୀ ନଗେଶ ବାରମ୍ବାର ପୁଲିସର ଦ୍ୱାରସ୍ଥ ହେଉଥିଲେ ବି ପୁଲିସ ମାମଲାଟିଏ କରି ଚୁପ ବସିଛି । କଳିଙ୍ଗନଗର ପୁଲିସ ନଗେଶଙ୍କ ଅଭିଯୋଗରେ ୪୨୦,୪୬୫ ଏବଂ ୪୬୮ ଭଳି ଜାଲିଆତ ଦଫା ଲଗାଇଥିଲେ ହେଁ ମାମଲା ନମ୍ବର-୧୭୨/୨୦୨୪ର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ ବଳାଉନି ।

କିଏ ଜାଲିଆତି କରିଛି, ଜାଲିଆତିର ମାଷ୍ଟର ମାଇଣ୍ଡ କିଏ, କିଏ କିଏ ଟଙ୍କା ହଡ଼ପ କରିଛନ୍ତି, ତାହା ଖୁଲାସା କରିବାକୁ କଳିଙ୍ଗନଗର ପୁଲିସ ପଛଘୁଂଚା ଦେବା ପଛରେ କାରଣ କ’ଣ ତାହା ଚାଷୀ ନଗେଶଙ୍କୁ ସନେ୍ଦହରେ ପକାଇଛି । ଚାଷୀ ନଗେଶଙ୍କ ଅଭିଯୋଗ ମତେ ସେ ୨୦୨୪ଫେବୃଆରୀ ୬ତାରିଖରେ ରଣାଗୁଣ୍ଡି ସ୍ଥିତ ସମବାୟ ସମିତି ମଣ୍ଡିରେ ୪୧କ୍ୱିଂଟାଲ୍ ୫୧କେଜି ଧାନ ଦେଇଥିଲେ । ସେତେବେଳେ ଯାହାର ସରକାରୀ ମୂଲ୍ୟ ୯୦ହଜାର ୬୧୬ ଟଙ୍କା ଧାର୍ଯ୍ୟ ହୋଇଥିଲା । ଧାନ ଦେବା ପରେ ବ୍ୟାଙ୍କକୁ ଟଙ୍କା ଆସିବା କଥା । ହେଲେ ତାହା ହୋଇନଥିଲା । ନଗେଶ ଧାନବିକା ଟଙ୍କା ଦାନଗଦୀ ସ୍ଥିତ ୟୁକୋ ବ୍ୟାଙ୍କ୍ ଜମାକଥାରେ ପଇଠ ପାଇଁ ସମସ୍ତ ପ୍ରକାର କାଗଜପତ୍ର ପ୍ରଦାନ ସମବାୟ ସମିତିରେ ପ୍ରଦାନ କରିଥିଲେ । ହେଲେ ମାସ ପରେ ମାସ ବିତିଯାଇଥିଲେ ବି ତାଙ୍କ ଜମାଖାନା ନମ୍ବର-୩୦୩୦୦୧୧୦୦୩୭୧୮୮ରେ ଟଙ୍କା ଜମା ହୋଇନଥିଲା । ଯାହାଫଳରେ ସେ ବାରମ୍ବାର ସମିତି ସଂପାଦକ ଦିଲୀପ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳିନଥିଲା ।

ନଗେଶ କୈାଣସି ସୁତ୍ରରୁ ଜାଣିବାକୁ ପାଇଥିଲେ କି ମଣ୍ଡିରେ ଧାନ ବିକ୍ରି ସମୟରେ ସମ୍ପାଦକ ଦିଲୀପ୍ଙ୍କୁ ଦେଇଥିବା କାଗଜପତ୍ର ବଳରେ ତାଙ୍କ ନାମରେ ଡ଼ୁବୁରୀସ୍ଥ କଟକ ସେଂଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ୍ରେ ଏକ ଖାତା ଖୋଲାଯାଇଛି । ଆଉ ସେ ବିକ୍ରି କରିଥିବା ଧାନ ବାବଦ ଟଙ୍କା ସେହି ଖାତାକୁ ଟ୍ରାନ୍ସଫର କରାଯିବା ସହିତ ତାଙ୍କ ଦସ୍ତଖତକୁ ଜାଲିଆତି କରାଯାଇ ସମସ୍ତ ୯୦ହଜାର ୬୧୬ଟଙ୍କାକୁ କେହି ଉଠାଇ ନେଇଛି । ଚାଷୀ ନଗେଶଙ୍କ ସନେ୍ଦହ ସମବାୟ ସମିତି ସମ୍ପାଦକ ଦିଲୀପଙ୍କ ନାଁରେ ତା୨୭ା୭ା୨୪ରେ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜାଲିଆତି ଦଫା ଲଗାଇଥିଲେ ହେଁ ପୁଲିସ ୭ ମାସ ହେଲା ହାତବାନ୍ଧି ବସିଛି । ପୁଲିସର ଅବହେଳାକୁ ନେଇ ନଗେଶ ବହୁବାର ଏସ୍ପି ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଏସ୍ପି ମଧ୍ୟ ମାମଲାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ନଗେଶଙ୍କ ଅଭିଯୋଗ କେବଳ ଅଭିଯୋଗରେ ରହିଯାଇଛି । ନଗେଶ ରଣାଗୁଣ୍ଡି ମଣ୍ଡିରେ ଧାନ ବିକିଥିବା ଆଉ ତାଙ୍କ ଟଙ୍କାକୁ କେହି ଜାଲିଆତି କରି ହଡପ୍ କରିଥିବା ନେଇ ଅଭିଯୋଗ ଆଣିବା, ଅଭିଯୋଗର ତଦନ୍ତ ନହେବା, ଚାଷୀ ବର୍ଷେ ହେଲା ଧାନ ବିକା ଟଙ୍କା ନପାଇବା ଘଟଣାର ପଛର ରହସ୍ୟ ଉପରୁ ପରଦା ନଉଠିଲେ ନଗେଶ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ ବୋଲି ଚୋତବନୀ ଦେଇଛନ୍ତି  ।