ହାପି ହର୍ମୋନ ସକ୍ରିୟ ରହିଲେ ମିଳିବ ଖୁସି

ହାପି ହର୍ମୋନ ସକ୍ରିୟ ରହିଲେ ମିଳିବ ଖୁସି

ମନୁଷ୍ୟ ଶରୀରକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରେ । ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ, ଖାଦ୍ୟପେୟ, ନିଦ୍ରା, ବ୍ୟାୟାମ ଓ ବିଶ୍ରାମ ଅନୁସାରେ ମସ୍ତିଷ୍କ ପ୍ରଭାବିତ ହୋଇଥାଏ । ତେଣୁ ଖାଦ୍ୟପେୟ, ଚାଲିଚଳନ ଓ କାର୍ଯ୍ୟଶୈଳୀ ପ୍ରତି ଧ୍ୟାନ ଦେଇ ଉପଯୁକ୍ତ ମାର୍ଗରେ ପରିଚାଳିତ ହେଲେ ମନୁଷ୍ୟ ଦୀର୍ଘାୟୁ ଏବଂ ନିରୋଗ ରହିପାରେ । ଏଥିପାଇଁ ମସ୍ତିଷ୍କ ସୁସ୍ଥ ରହିବା ମଧ୍ୟ ନିହାତି ଆବଶ୍ୟକ । ମସ୍ତିଷ୍କ ମନ ଆଉ ଶରୀରକୁ ସୁସ୍ଥ ଓ ସତେଜ ରଖେ । ମୁଖ୍ୟତଃ ୪ ପ୍ରକାର ହର୍ମୋନର ହିଁ ମସ୍ତିଷ୍କକୁ ସୁସ୍ଥ ରଖୁଥାଏ । ଏହି ହର୍ମୋନ କିପରି ସକ୍ରିୟ ହୁଏ ଏବଂ ଏହା ଶରୀରରେ କ'ଣ ପ୍ରଭାବ ପକାଏ ଜାଣିବା...
ଡୋପାମାଇନ୍‌ ହର୍ମୋନ୍‌: ଯେତେବେଳେ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ହାସଲ, ସଫଳତା ପାଇବା କିମ୍ବା କୌଣସି ଲୋଭନୀୟ ଖାଦ୍ୟ ଖାଇବାର ଅପେକ୍ଷାରେ ଥାଆନ୍ତି ତାହା ମିଳିଯିବା ସମୟରେ ସେମାନେ ଅତ୍ୟଧିକ ଖୁସି ଓ ଭାବପ୍ରବଣ ହୋଇଯାନ୍ତି । ଏହି ଖୁସିର କାରଣ ହେଉଛି ଡୋପାମାଇନ୍‌ ହର୍ମୋନ୍‌ । ଅଧୂକ ଖୁସିରୁ ଶରୀରରେ ଏହି ଡୋପାମାଇନ୍‌ ହର୍ମୋନ କ୍ଷରଣ ହୁଏ  । ମସ୍ତିଷ୍କ ଉପରେ ଏହା ଗଭୀର ପ୍ରଭାବ ପକାଏ । ଏହା ଶରୀରରୁ ଷ୍ଟ୍ରେସ୍‌ ବା ଚାପ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ନିଜକୁ ଖୁସି ଦେଉଥିବା କାମ କରନ୍ତୁ ।
ସେରୋଟନିନ୍‌: ଯେତେବେଳେ ବହୁତ୍‌ କିଛି କାମକରି ହାଲିଆ ହୋଇଯାଉ କିମ୍ବା କୌଣସି ଘଟଣାକୁ ନେଇ ଦୁଃଖ ବା ଅନୁଶୋଚନାରେ ଥାଉ, ସେତେବେଳେ ଘର ଠାରୁ ଟିକେ ଦୂରକୁ ଯାଇ ସୂର୍ଯ୍ୟମନସ୍କ ତଥା ଏକନିଷ୍ଠ ବା ଧ୍ୟାନସ୍ଥ ହୋଇ ବସିବା ଦ୍ୱାରା ସୂର୍ଯ୍ୟକିରଣରୁ ଶରୀରରେ ସେରୋଟନିନ୍‌ ହର୍ମୋନ୍‌ ଜାତ ହୁଏ ଓ ଯାହା ମସ୍ତିଷ୍କ ମାଧ୍ୟମରେ ମନ ଓ ଶରୀରକୁ ଚାପମୁକ୍ତି କରେ  । ନିୟମିତ ଯୋଗ, ପ୍ରାଣାୟମ ଓ ପ୍ରତ୍ୟେକ କ୍ଷେତ୍ରରେ କୃତଜ୍ଞତା ଜଣାଇବା ଅଭ୍ୟାସ ବଜାୟ ରଖିଲେ ସେରୋଟୋନିନ ସ୍ତର ବୃଦ୍ଧି ପାଏ ।
ଏଣ୍ଡୋରଫିନ୍‌: ନିୟମିତ ସକାଳୁଆ ବ୍ୟାୟାମ, ଚାଲିବା, ଦୌଡ଼ିବା, ମନଖୋଲା ହସିବା ଏବଂ ମସଲାଯୁକ୍ତ ସୁସ୍ୱାଦୁ ଖାଦ୍ୟ ଖାଇବା ବେଳେ ଏଣ୍ଡୋରଫିନ୍‌ ଜାତୀୟ ହର୍ମୋନ ନିର୍ଗତ ହୋଇଥାଏ । ଏହା ମସ୍ତିଷ୍କକୁ ପ୍ରଭାବିତ କରି ମନକୁ ପ୍ରଫୁଲ୍ଲ ରଖେ । ତେଣୁ ନିୟମିତ ୮ ଘଣ୍ଟା ଶୋଇବା ସହ ଗଭୀର ନିଃଶ୍ୱାସ ନେବା ଜରୁରି  ।
ଅକ୍ସିଟୋସିନ୍‌ : ଆଲିଙ୍ଗନ କରିବା ବେଳେ ଶରୀରରୁ ଏହି ହର୍ମୋନ ନିର୍ଗତ ହୁଏ  । ମନ ଶାନ୍ତି ଲାଗେ  । ତେଣୁ ନିଜ ଲୋକଙ୍କ ସହ ସମୟ ବିତାଇବା ଦ୍ୱାରା ଅକ୍ସିଟୋସିନ୍‌ ସକ୍ରିୟ ରୁହେ ।