ରଧାନଗରରେ ପାଣି ପାଇଁ ପରିବାର ହନ୍ତସନ୍ତ

 ଯଖପୁରା: ସରକାର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ପ୍ରତ୍ୟେକ ଘରକୁ ପାଣି ପାଇଁ ଯୋଜନା କରିଛନ୍ତି । ମାତ୍ର ଏବେ ସୁଦ୍ଧା ଏମିତି ଗ୍ରାମ ଅଛି ଯେଉଁଠି ଟୋପାଏ ପାଣି ପାଇଁ ଲୋକମାନେ ହଇରାଣ ହରକତ ହେଉଛନ୍ତି । ସେମିତି ଏକ ଅଚଳାବସ୍ଥା ଦାନଗଦୀ ବ୍ଲକ୍ ଅନ୍ତର୍ଗତ କୁମ୍ଭୀରଗଡିଆ ପଞ୍ଚାୟତର ରଧାନଗର ରାଜସ୍ୱ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମରେ ସମସ୍ତ ପରିବାର ଦଳିତ ଶ୍ରେଣୀର । ଗ୍ରାମରେ ଅନେକ ସମସ୍ୟା ରହିଛି । ଏମିତିକି ମଣିଷ ବଞ୍ଚିବା ପାଇଁ ଅଥବା ଚଳିବା ପାଇଁ ଯାହା ଆବଶ୍ୟକ ସେ ଗ୍ରାମରେ ଦେଖିବାକୁ ମିଳିବନାହିଁ । ବିଶେଷ କରି ପାଣି ସମସ୍ୟା ଅନେକ । ଗ୍ରାମରେ ମୋଟ ଆଠ ଦଶ ଘର ରହୁଛନ୍ତି । ମୋଟ ଉପରେ ୭୦ ରୁ ୮୦ ଜଣ ଲୋକ ଅଛନ୍ତି । ମାତ୍ର ପାନୀୟ ଜଳ ର ବ୍ୟବସ୍ଥା କହିଲେ ଏକ ମାତ୍ର ନଳକୂପ । ଯାହା ଆଜକୁ ୩୦/୪୦ ବର୍ଷ ତଳେ ଏହା ବସିଥିଲା । ପାନୀୟ ଜଳ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ । ଏବେ ଏହି ନଳକୂପରୁ ଆଇରନ ମିଶା ପାଣି ବାହାରୁଛି । ପାଣି ମଧ୍ୟ ଗୋଳିଆ ବାହାରୁଛି । ଲୋକମାନେ ଏହି ନଳକୂପ ଉପରେ ସମ୍ପୂର୍ଣ୍ଣ ମାତ୍ରାରେ ନିର୍ଭରଶୀଳ । ମାତ୍ର ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକମାନେ ଏହାର ପାଣିକୁ ଛାଣି ପିଉଛନ୍ତି । ନହେଲେ ନାହିଁ । ବେଳେ ବେଳେ ନଳକୂପରୁ ପାଣି ବାହାରୁ ନାହିଁ । ପାଣି ପାଇଁ ଗ୍ରାମବାସୀ ହଇରାଣ ହେଉଛନ୍ତି । ନାଳ, ପୋଖରୀ ପାଣି ପାଇବା ପାଇଁ ବାଧ୍ୟ ହେଉଛନ୍ତି । ଫଳରେ ଅନେକ ପେଟ ରୋଗ, ଚର୍ମ ରୋଗର ଶିକାର ହେଉଛନ୍ତି । ପାନୀୟ ଜଳ ପାଇଁ ଅନ୍ୟ ବିକଳ୍ପ ନଥିବାରୁ ଏହାକୁ ପିଇବାକୁ ବାଧ୍ୟ ହେଉଛନ୍ତି । ଗ୍ରାମବାସୀ କହିଛନ୍ତି କି ଆମେ ଦଳିତ ଲୋକ ହୋଇଥିବାରୁ ଆମ କଥା କେହି ଶୁଣୁ ନାହାଁନ୍ତି । କାହିଁ କେଉଁ ଦିନରୁ ଆମେ ବାରମ୍ବାର ଅନେକ ଥର ଦାନଗଦୀ ବିଡ଼ିଓଙ୍କୁ ଅଭିଯୋଗ କରିଥିଲୁ । ମାତ୍ର ଆମ କଥା କେହି ବୁଝୁ ନାହାଁନ୍ତି । ତୁରନ୍ତ ଆମ ଗ୍ରାମରେ ଦୁଇଟି ନଳକୂପ ନିର୍ମାଣ କଲେ ଆମେ ବିଶେଷ ଉପକୃତ ହେବୁ ବୋଲି କହିଛନ୍ତି । ପାନୀୟ ଜଳ ବିଭାଗ ତୁରନ୍ତ ଗ୍ରାମର ପାଣି ସମସ୍ୟାକୁ ଦୂର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।