ଗାଁ ଦାଣ୍ଡରେ ପାଣି, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ
ରଗଡି : ଗାଁ ଦାଣ୍ଡରେ ବର୍ଷା ପାଣି । ଯାହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି କରିଛି । ଏହା ଦୀର୍ଘ ଦିନର ସମସ୍ୟା ହୋଇଥିଲେ ମଧ୍ୟ କାହାର ନଜର ପଡ଼ୁନି । କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତ ରଗଡି ଗ୍ରାମର ଏହିଭଳି ଅବସ୍ଥା । ଏଠାରେ ବାସ କରୁଥିବା ଶତାଧିକ ପରିବାର ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହା ଦ୍ୱାରା ଗ୍ରାମ ପରିବେଶ ଦୂଷିତ ହେବା ସହ ଅପରିଷ୍କାର ପରିସ୍ଥିତି ସୃଷ୍ଟି କରିଛି । ମଶା ମାଛିଙ୍କ ସଂଖ୍ୟା ବଢୁଛି । ଯାହା ଲୋକଙ୍କ ପାଇଁ ବିପଦ ଆଣିଛି । ପାଣିରେ ଚଳପ୍ରଚଳ କରିବା ଦ୍ୱାରା ଗୋଡ଼ କୁଣ୍ଡାଇ ହୋଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ପାଣିରେ ପଶି ସ୍କୁଲକୁ ଯିବାକୁ ପଡୁଛି । ପୂର୍ବରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଖାଲ ଢିପ ଥିବାରୁ ପାଣି ଯାଇ ପାରୁ ନଥିବା ଓ ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ପ୍ରତି ସ୍ଥାନୀୟ ବିଧାୟକ ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ନୀଳମଣି କର, ନିତ୍ୟାନନ୍ଦ ଆଚାର୍ଯ୍ୟ, ନରେଶ ଆଚାର୍ଯ୍ୟ,ମନୋରଞ୍ଜନ ଆଚାର୍ଯ୍ୟ, ମୃତ୍ୟୁଞ୍ଜୟ କର, ଧରଣୀଧର ଆଚାର୍ଯ୍ୟ, ମାନଗୋବିନ୍ଦ ଆଚାର୍ଯ୍ୟ,ସୁରେନ୍ଦ୍ର ଆଚାର୍ଯ୍ୟ,ଆଦିକନ୍ଦ ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର କର ଓ ମଦନ ମୋହନ କର ପ୍ରମୁଖ ଦାବି କରିଛନ୍ତି ।